କପ୍ଫିଣା ଉପାଖ୍ୟାନ
କାଶ୍ମୀର ନରେଶ ଅବନ୍ତୀ ବର୍ମାଙ୍କ ଦରବାରୀ କବି ଶିବସ୍ୱାମୀ ତାଙ୍କ ମହାକାବ୍ୟ କପ୍ଫିଣାଭ୍ୟୁଦୟ ରେ କୁକ୍କୁଟବତୀ-ନଗର ର ରାଜା କପ୍ପିଣାଙ୍କ ଜମିଦାରୀରେ ପାଣ୍ଡ୍ୟ, ଆନ୍ଧ୍ର, ଉତ୍କଳ ଓ ସୁରାଷ୍ଟ୍ର ସମେତ ୪୧ ଟି ରାଜ୍ୟ ରହିଥିବା ବିଷୟରେ ଲେଖୁଛନ୍ତି।
ବୌଦ୍ଧ ସାହିତ୍ୟ ଧମ୍ମପଦ ଲେଖୁଛନ୍ତି ଯେ ଯେ ବ୍ୟବସାୟୀମାନଙ୍କ ପାଖରୁ ବୁଦ୍ଧଙ୍କ ମହିମା ଶୁଣି ରାଜା କପ୍ଫିଣା ଅର୍ୱଚ, ନୀଳୱାହନ ଓ ଚନ୍ଦ୍ରଭାଗା ନଦୀ ଅତିକ୍ରମ କରି ଚନ୍ଦ୍ରଭାଗା ତଟ ବଟବୃକ୍ଷ ମୂଳେ ଉପବେସିତ ବୁଦ୍ଧଙ୍କୁ ସାକ୍ଷାତ କରି ସନ୍ୟାସ ଗ୍ରହଣ କରିଥିଲେ।
ସେଥିରେ ବର୍ଣ୍ଣିତ ରାଜା କପ୍ଫିଣା ଓ ତାଙ୍କ ସଭାସଦ ମାନଙ୍କ ଭିତରେ ହୋଇଥିବା ବାର୍ତ୍ତାଳାପ ଓ ତଳର ବିଶ୍ଲେଷଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେମାନେ ପାର କରିଥିବା ନଦୀ ତ୍ରୟ ହେଲେ ବୈତରଣୀ, ମହାନଦୀ ଓ ଚନ୍ଦ୍ରଭାଗା। ସେମାନେ ବୁଦ୍ଧଙ୍କୁ ମୈତ୍ରେୟ ବନର ବଟବୃକ୍ଷ ମୂଳେ ସାକ୍ଷାତ କରିଥିଲେ।
ପ୍ରଥମେ ପାର କରିଥିବା ନଦୀ ହେଲା ଅର୍ୱଚ। ଏହା ଅର୍ହତ ଶବ୍ଦର ପାଲି ଶବ୍ଦ ଅଟେ। ଅର୍ହତ ସିଦ୍ଧ ପୁରୁଷଙ୍କୁ ବୁଝାଇଥାଏ। ସେ ବୁଦ୍ଧଙ୍କ ରତ୍ନତ୍ରୟୀ ଙ୍କୁ ସ୍ମରଣପୂର୍ବକ ଅର୍ୱଚ ଅଥବା ବୈତରଣୀ ନଦୀ ପାର ହେଲେ। ବୈତରଣୀ ନଦୀର ମାହତ୍ମ୍ୟ ସମ୍ପର୍କରେ ପୁରାଣ ମାନଙ୍କରେ କୁହା ଯାଇଛି ଯେ ଏଥିରେ ସ୍ନାନ କଲେ, ଭବ ସାଗରର ପାରି ହେବା ସହଜ ହୁଏ। ସନାତନ ଶାସ୍ତ୍ରରେ କେଉଁଝରର ଗୋନାସିକା ପର୍ବତ-କନ୍ଦରରୁ ବାହାରି ଥିବା ବୈତରଣୀଙ୍କୁ ପାପନାସିନୀ ଗୁପ୍ତ ଗଙ୍ଗା କୁହାଯାଏ। ତାକୁ ଲକ୍ଷ୍ୟ କରି ବୌଦ୍ଦ ସାହିତ୍ୟରେ ରାଜା କପ୍ପିଣାଙ୍କ ଦୀକ୍ଷାଯାତ୍ରାକୁ ତୀର୍ଥଯାତ୍ରା ରୂପେ ପ୍ରଦର୍ସିତ କରା ଯାଇଚି। ତେଣୁ ଅର୍ୱଚ ବୈତରଣୀ ନଦୀ ଅଟେ।
ନୀଳୋତ୍ପଳା ଭଳି ନୀଳବାହନ ମହାନଦୀର ଅନ୍ୟ ନାମ ଅଟେ। ପ୍ରାଚୀନ ରାଜା ନୀଳଙ୍କ ନାମ ଅନୁସାରେ ବିନ୍ଧ୍ୟାଞ୍ଚଳର ତଳଦେଶରେ ତଥା ମହାନଦୀର ଉପର ଅବବାହିକା ବକ୍ଷରେ ପ୍ରାକୃତିକ ରୂପେ ଜନ୍ମ ନେଉଥିବା ନୀଳଗୁଳ୍ମ (୧) ରୁ ପ୍ରସ୍ତୁତ ଘନକୃଷ୍ଣକଳା ରଙ୍ଗ କୁ ବିଦେଶକୁ ରପ୍ତାନୀରେ ବ୍ୟବହୃତ ବାହାନ ବାହକର ଶକ୍ତ ମାଧ୍ୟମ ଥିଲା। ତେଣୁ ତାଙ୍କର ଦ୍ୱିତୀୟ ନଦୀ ହେଲା ମହାନଦୀ।
ଶ୍ରୀ ବେଦବୀର ଆର୍ଯ୍ୟ ତାଙ୍କ ବହିରେ କପ୍ଫିଣାଙ୍କ ପ୍ରସଙ୍ଗରେ ତୃତୀୟ ନଦୀ ଚନ୍ଦ୍ରଭାଗାକୁ ଓଡିଶାର ନଦୀ ରୂପେ ଚିତ୍ରଣ କରିଛନ୍ତି। ଉପରୋକ୍ତ ନଦୀ ମାନଙ୍କର ବ୍ୟାଖ୍ୟାନରୁ ଜଣା ଯାଏ ଯେ କପ୍ଫିଣାଙ୍କ ବୁଦ୍ଧଙ୍କ ସହ ସାକ୍ଷାତ ମୈତ୍ରେୟ ବନରେ ହୋଇଥିଲା, ଶ୍ରାବସ୍ତୀରେ ନୁହେଁ। ଶ୍ରାବସ୍ତୀ ନାଁ ପରେ ଯୋଡିବା ପାଇଁ ବଳପୂର୍ବକ ଚନ୍ଦ୍ରଭାଗାଙ୍କୁ ଉତ୍ତର ପଶ୍ଚିମର ନଦୀ ରୂପେ ଦର୍ଶା ଯାଇଛି। ମୋର ବ୍ଲଗରେ ଲେଖିଥିବା ଆଲେଖ୍ୟରେ ମୁଁ ଚନ୍ଦ୍ରଭାଗା ନଦୀ ବିଷୟରେ ଉଲ୍ଲେଖ କରି ଦର୍ଶାଇଛି ଯେ ଏହା ଓଡିଶାର ଏକ ଅତି ପ୍ରାଚୀନ ନଦୀ ଅଟେ। (୨)
ଯେହେତୁ ସେ ପ୍ରଥମେ ବୈତରଣୀ ନଦୀ ପାର ହୋଇଛନ୍ତି, ପରେ ମହାନଦୀ ଓ ତା ପରେ ଚନ୍ଦ୍ରଭାଗା ପାର ହୋଇଛନ୍ତି ତେଣୁ କୁକ୍କୁଟବତୀ-ନଗର ବିନ୍ଧ୍ୟତାବି ଗୋନାସିକା ପର୍ବତ-କନ୍ଦରରୁ ବାହାରି ଆସୁଥିବା ବୈତରଣୀ ନଦୀର ଉପର ମୁଣ୍ଡରେ ଥିବା ନିଶ୍ଚିତ।
କୁକ୍କୁଟ ଏକ ସଂସ୍କୃତ ଶବ୍ଦ। ଏହାର ଅର୍ଥରେ ସୁଶ୍ରୁତ ସଂହିତା କହୁଛନ୍ତି ଯେ ଏହା ଶାଲ୍ମକୀ ଅର୍ଥାତ ଶିମୁଳୀ ବୃକ୍ଷ ଅଟେ। ଏହାର ପୁଷ୍ପ ଘନ ଲୋହିତ ରଙ୍ଗର ଅଟେ। ଏହାର ଛାଲି ଓ ଫଳର ମଞ୍ଜିରୁ ଅନେକ ଔଷଧୀୟ ସାମଗ୍ରୀ ପ୍ରସ୍ତୁତ ହୁଏ। ଫଳ ଭିତରେ ଥିବା ରେଶମ କପାରୁ ବସ୍ତ୍ର ନିର୍ମାଣର ସୂତା ପ୍ରସ୍ତୁତ କରାଯାଏ। ଏହାର ପୁଷ୍ପ ରଙ୍ଗ ଲାଲ ହୋଇଥିବା ହେତୁ ଇଂରାଜୀରେ ଏହା Red cotton silk ଓ ଏହାର ଉଦ୍ଭିଦୀୟ ନାମ Bombax heptaphllum ଅଟେ।
ଆଜି ମଧ୍ୟ କେଉଁଝରର ବିନ୍ଧ୍ୟତାବି (ଶିମିଳିପାଳ ବନ୍ୟ ଶ୍ରେଣୀ) ଅଞ୍ଚଳ ଶିମୁଳୀ ବୃକ୍ଷରେ ପରିପୂର୍ଣ୍ଣ ଅଟେ। ଧମ୍ମପଦ ଅନୁସାରେ ରାଜା ବ୍ୟବସାୟୀ ମାନଙ୍କ ଠାରୁ ବୁଦ୍ଧଙ୍କ ବିଷୟରେ ଶୁଣିଲେ। ସେମାନେ ନିଶ୍ଚୟ ଶିମୁଳୀ ବୃକ୍ଷର କପାରେ ନିର୍ମିତ ବସ୍ତ୍ର କ୍ରୟ କରିବା ନିମନ୍ତେ ସେଠାକୁ ଯାଉଥିଲେ। ରାଜା କପ୍ଫିଣାଙ୍କ ପୂର୍ବ ଜନ୍ମ ସମ୍ପର୍କରେ ଧମ୍ମପଦ କହୁଚନ୍ତି ଯେ ସେ ଜଣେ ତନ୍ତ ବୁଣାଳୀଙ୍କ ପୁତ୍ର ଥିଲେ। ଏଥିରୁ ଅନୁମିତ ହୁଏ, କୁକ୍କୁଟବତୀ ନଗର ଉତ୍କୃଷ୍ଟ ବସ୍ତ୍ର ନିମନ୍ତେ ସେ କାଳରେ ପ୍ରସିଦ୍ଧି ଲାଭ କରିଥିଲା।
ଉପରୋକ୍ତ ବିଶ୍ଲେଷଣର ବିବରଣୀରୁ ଏହି ନିଷ୍କର୍ଶ ଆସେ ଯେ ଶାଳ୍ମକୀ ବୃକ୍ଷରେ ପରିବେଷ୍ଟିତ ଆଜିର ଆସନପଟ (କେଉଁଝର ଜିଲ୍ଲା) ତତ୍କାଳୀନ କୁକ୍କୁଟବତୀ-ନଗର ଥିଲା।
ଆସନପଟ ର ନଟରାଜା ଙ୍କ ମୂର୍ତ୍ତିରୁ ଏହା ପ୍ରମାଣିତ ହୁଏ ଯେ ରାଜା ଶତୃଭଞ୍ଜ ଦେବ ଜଣେ ନାଗବଂଶୀ ରାଜା ଥିଲେ। ବୈଦିକ ସମୟରୁ ନାଗ ମାନେ ସେମାନଙ୍କ ଗୁରୁ ମହାଦେବ ଶିବଙ୍କ ପୂଜା ଓ ଉପାସନା କରି ଆସୁଥିଲେ। ରାଜା କପ୍ଫିଣା ଓ ତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କର ପ୍ରମାଣ ନ ମିଳି ପାରିଥିଲେ ସୁଦ୍ଧା କୁକ୍କୁଟବତୀ ନଗର ରାଜା କପ୍ପିଣା ଯେ ନାଗବଂଶୀ ଥିଲେ, ଏଥିରୁ ଅନୁମିତ ହୁଏ।
କାଶୀ-କୋଶଳ ନରେଶ ବ୍ରହ୍ମଭଟ୍ଟ କନ୍ୟା ମଗଧ ନରେଶ ବିମ୍ବିସାରଙ୍କୁ ବିବାହ କରିଥିଲେ। ମଗଧ ରାଜା ବିମ୍ବିସାର, କୋଶଳ ନରେଶ ବ୍ରହ୍ମଭଟ୍ଟଙ୍କ ପୁତ୍ର ପ୍ରସେନଜିତ, କୌଶାମ୍ବୀର ପାଣ୍ଡବବଂଶୀ ରାଜା ଶତାନିକଙ୍କ ପୁତ୍ର ଉଦୟନ, ମାଦଳାପାଞ୍ଜିରେ ବର୍ଣ୍ଣିତ ଓଡ୍ରର ୧୩ଶ ତମ ସୋମବଂଶୀ ନୃପତି ତ୍ରିଭୁବନଦେବ (ଖ୍ରୀଷ୍ଟପୂର୍ବ ୧୯୭୧- ଖ୍ରୀଷ୍ଟପୂର୍ବ ୧୯୦୮), କୁକ୍କୁଟବତୀ-ନଗର (ଆସନପଟ) ର ରାଜା କପ୍ଫିଣା ଗୌତମ ବୁଦ୍ଧଙ୍କର ସମସାମୟିକ ଥିଲେ। ଏହା ଏକ ଐତିହାସିକ ସତ୍ୟ, ଯାହା ତିମିରାଛନ୍ନ ଇତିହାସ ମଧ୍ୟରେ ଲୁକ୍କାୟିତ ହୋଇ ରହି ଯାଇଛି।
ଟିପ୍ପଣୀ:
(୧) Indigofera Tictoria, ନୀଳ – ଏ ଗୁଳ୍ମରୁ ପ୍ରସ୍ତୁତ ପ୍ରାକୃତିକ ଘନକୃଷ୍ଣକଳା ରଙ୍ଗ ଯାହାର ଦେଶ ବିଦେଶରେ ଚାହିଦା ଅନେକ ଥିଲା।
(୨) http://pramodpanda.in/2021/01/22/%e0%ac%9a%e0%ac%a8%e0%ad%8d%e0%ac%a6%e0%ad%8d%e0%ac%b0%e0%ac%ad%e0%ac%be%e0%ac%97%e0%ac%be/
Comments
Post a Comment