ନବକଳେବର
ଶ୍ରୀମଦ ଭଗବତ ଗୀତା ଜନ୍ମମୃତ୍ୟୁର ର ଚକ୍ରକୁ ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବା ସଦୃଶ୍ୟ ଜରାଜୀର୍ଣ୍ଣ ଶରୀର ପରିତ୍ୟାଗ କରି ନୂତନ ଶରୀର ଧାରଣ ଅବସ୍ଥା ରୂପେ ବ୍ୟାଖ୍ୟା କରନ୍ତି। ସେହି ଅନୁକ୍ରମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସାଧାରଣ ପ୍ରାଣୀଙ୍କ ଜନ୍ମମୃତ୍ୟୁ ଜନିତ ଶରୀର ତ୍ୟାଗ ଓ ନୂତନ ଶରୀରରେ ପ୍ରାଣ ନେଇ ଜନ୍ମ ହେବା ନୀତି ଭଳି ତାଙ୍କ ଏକମାତ୍ର ବିଗ୍ରହର ନବ କଳେବର ନୀତି ସେ କରାଇଥାନ୍ତି। ଚନ୍ଦ୍ର ଓ ସୌର ତିଥିର ସମନ୍ବୟ ସମ୍ବନ୍ଧୀୟ କାଳ ଗଣନାରେ ଅଧିକା ଆଷାଢ ମାସ ପଡୁଥିବା ବର୍ଷରେ ଏହାକୁ ବଡଦାଣ୍ଡରେ ପତିତ ଜନ ସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ରଥରେ ଅଧିଷ୍ଠାନ ପୂର୍ବରୁ ସମାହିତ କରାଯାଏ। ଯୋଡା ଆଷାଢ ପଡିବା ବର୍ଷକୁ ପାଞ୍ଜିକାର ମାନେ ସ୍ଥିର ନିର୍ଦ୍ଧାରିତ କରିଥାନ୍ତି। ସେହି ଆଷାଢର ପ୍ରଥମ କୃଷ୍ଣପକ୍ଷ, ପ୍ରଥମ ଶୁକ୍ଳପକ୍ଷ, ଦ୍ୱିତୀୟ କୃଷ୍ଣପକ୍ଷର ୪୫ ଟି ତିଥି ମଧ୍ୟରେ ଏହି କାର୍ଯ୍ୟକୁ ସମ୍ପାଦିତ କରାଯାଏ। ଦ୍ୱିତୀୟ ଆଷାଢ ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ନବଯୌବନ ବେଶ ହୁଏ। ତା ପରଦିନ ରଥରେ ମହାପ୍ରଭୁ ଜନସାଧାରଣଙ୍କ ଗହଣକୁ ଆସନ୍ତି। ଶେଷଥର ପାଇଁ ଏହା ୨୦୧୫ ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏହି ପ୍ରକ୍ରିୟାର ପ୍ରଥମ ଲିପିବଦ୍ଧ ନୀତି/ବିଧି ମାଦଳାପାଞ୍ଜି କେଶରୀବଂଶର ପ୍ରଥମ ପାଟରାଜା ଯଜାତିଙ୍କ ରାଜତ୍ୱ ସମୟରେ ବର୍ଣ୍ଣନା କରିଛନ୍ତି।
ସୋମବଂଶୀ ମାନଙ୍କ ଶାସନ ପରେ ଖ୍ରୀଷ୍ଟପୂର୍ବ ୧୫୬୭ ରେ ଉତ୍କଳର ଯଜ୍ଞପୁରରେ ରାଜା ଯଜାତିଙ୍କ ସିଂହାସନ ଅଭିଷେକ ହୋଇଥିଲା। ମହାପ୍ରଭୁଙ୍କ ବିଗ୍ରହ ସିଂହାସନରେ ଅନୁପସ୍ଥିତ ଥିବା ବିଷୟ ସେ ତାଙ୍କ ଅଭିଷିକ୍ତ ଉପରାନ୍ତ ୧୧ ବର୍ଷ ପରେ ଜାଣିଥିଲେ। ୧ମ ମାଦଳାପାଞ୍ଜି ଅନୁସାରେ – ଏଠାରୁ କେଶରୀ ପାଟରାଜା ହୋଇଥିଲେ। ପ୍ରଥମ ପାଟ ଯଯାତି କେଶରୀ ହୋଇଲେ। ଏ ରାଜା ବଡ ଶୂରବନ୍ତ ମହାଦାନୀ। ଏ ମହାରାଜଙ୍କ ଅ୧୧ଙ୍କେ (ଖ୍ରୀଷ୍ଟପୂର୍ବ ୧୫୫୬) ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡିଶା ରାଜାର ପ୍ରଭୁ ଯେ ଶ୍ରୀ ଜଗନ୍ନଥ ମହାପ୍ରଭୁ ସେ କାହିଁ ଛନ୍ତି? ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମୋଦ୍ର ମାଡି ଅଇଲାକୁ ଅପର ଦିନ ହୋଇଲା। ଶ୍ରୀ ପରମେଶ୍ୱରଙ୍କୁ ପାତାଳୀ କରି ସୁନୁପୁର୍ ଆଡେ କଉଁଠାରେ ବିଜେ କରାଇଲେ ଗାଁତବ ନୋହୁ। ଆମ୍ଭ ବାପ ଅଜା କହନ୍ତି ଦିଅବର ଏହି, ଏଥିତଳେ ଦିଅଁଙ୍କୁ ପୋତିଥିଲେ। ଏହା ଶୁଣି ରାଜ କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ। ପରମେଶ୍ୱରଙ୍କୁ ବାହର କଲେ। ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି। ଦେଅମାନଙ୍କୁ ଲୁଗା ଗୁଡିଆଇ ମୁଣାରେ ପୂରେଇ ମୁଦାଇଲେ। ଏ ଉତ୍ତାରୁ ଦଇଆପତିଙ୍କୁ ଲୋଡାଇଲେ। ଦଇତାମାନେ ବିରିବନ୍ଧରେ ଥିଲେ। ପତିମାନେ ରତନପୁର ସିମାରେ ଥିଲେ। ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ। ଏ ଘଟଣାବେଳେ ରାଜା ସେବକ ତାଟି ଭିତର କଲେ। ଗଛକଟା କଟୂରିଆ ବ୍ରାହ୍ମଣ ପାଞ୍ଚ ଦେବା। ଏହାଙ୍କ ଗୋତ୍ର ବଛସ। ଜ୫ଣକୁ ଜ୧୦ଣ। ପତିମାନଙ୍କର ଏଗାରହ ଜଣକୁ ଛଅ ଜଣ। ଦଇତା ମାନଙ୍କର ଉଲୁକ ଗୋତ୍ର। ଜ୮ଣକୁ ପରିଛା ଗାଏ ଚବିସ ଜଣ। ଶ୍ରୀ ପୁରୁଷୋତ୍ତମେ ସଙ୍ଖ ନାଭି ମଣ୍ଡଳେ ହା୩୮ତ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ। ଏ ମହାରାଜାଙ୍କ ଅ୧୩ ଙ୍କେ କକଡା ଦି୨୫ନେ (ଖ୍ରୀଷ୍ଟପୂର୍ବ ୧୫୫୪, ଅଗଷ୍ଟ ୧୦) ସିଂଘାସନେ ବିଜେ କରାଇଲେ।
୨ୟ ପାଞ୍ଜି ଅନୁସାରେ, ଅ୫୯ଙ୍କେ ମେଷ ଦି୨୫ନେ (ଖ୍ରୀଷ୍ଟପୂର୍ବ ୧୫୦୮, ମେ ୮) ସିଂହାସନେ ବିଜେ କରାଇଲେ।
ମହାପ୍ରଭୁଙ୍କୁ ଦୁଇ ଥର ସିଂହାସନରେ ବିଜେ କରିବା ବିଷୟରେ ଯାହା ଲେଖା ଯାଇଛି, ତାହା ଏଥି ପାଇଁ ଯେ ଦୁଇଥର ଦୁଇଟି ସ୍ଥାନରେ ମହାପ୍ରଭୁ ବିରାଜିତ ଥିଲେ। ୧ମ ଶତାବ୍ଦୀର ମଧ୍ୟ ଭାଗରେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିବା ପାଣ୍ଡୁବଂଶୀ ମହାରାଜା ମହାଭବଗୁପ୍ତ ଜନ୍ମେଜୟଙ୍କ ତାମ୍ରପଟ୍ଟକ ଅନୁସାରେ ତାଙ୍କ ଦ୍ୱାରା ପ୍ରଦତ୍ତ ଉପହାର ଗ୍ରହଣ କରିଥିବା ଗୌତମ ସମ୍ପ୍ରଦାୟ (ଗୋତ୍ର) ବ୍ରାହ୍ମଣମାନେ ଓଡ୍ରଦେଶରେ ଅବସ୍ଥିତ ପୁରୁଷମଣ୍ଡପ ଗ୍ରାମରୁ ମୁରୁଗଞ୍ଜା ଗ୍ରାମକୁ ଯାଇ ସେଠାରେ କୌଶିକ ସମ୍ପ୍ରଦାୟର ବ୍ରାହ୍ମଣମାନଙ୍କ ସହିତ ବାସ କରିଥିଲେ। (୧) ଏହା ସୂଚନା ଦେଉଛି ଯେ ପୁରୁଷମଣ୍ଡପ ଗ୍ରାମ ଶ୍ରୀଜଗନ୍ନାଥଙ୍କ ମଣ୍ଡପ ଅନୁସାରେ ନାମିତ ହୋଇଥିଲା, ଯେଉଁଠାରେ ମହାପ୍ରଭୁ ଅବସ୍ଥାପିତ ହୋଇଥିଲେ। ଐତିହାସିକ ପଦ୍ମଶ୍ରୀ ସ୍ୱର୍ଗତ ସତ୍ୟ ନାରାୟଣ ରାଜଗୁରୁ ଦର୍ଶାଉଛନ୍ତି ଯେ ପାତାଳୀରୁ ଆଣି ସ୍ୱର୍ଗଦ୍ୱାର ନିକଟରେ ଏକ ମଣ୍ଡପରେ ରାଜା ଯଜାତି କେଶରୀ ମହାପ୍ରଭୁଙ୍କୁ ଅବସ୍ଥାପିତ କରିଥିଲେ, ଯାହା ସମୟ ସହିତ ସମୁଦ୍ର ଗର୍ଭକୁ ଚାଲି ଯାଇଛି। ପରେ ଏକ ମନ୍ଦିର ନିର୍ମାଣ କରି ସେଥିରେ ସେ ପୁରଷୋତ୍ତମଙ୍କ ପ୍ରତିନିଧିତ୍ୱ କରୁଥିବା ଚତୁର୍ଭୂଜଧାରୀ ପ୍ରସ୍ତର ମୂର୍ତ୍ତି ନୀଳମାଧବଙ୍କୁ ସ୍ଥାପନ କରିଥିଲେ। ପରେ ଏହି ମନ୍ଦିର ବର୍ତ୍ତମାନ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ନିକଟସ୍ଥ ନୃସିଂହ ମନ୍ଦିର ରୂପେ ପରିଚିତ ହେଲା।
୧ମ ପାଞ୍ଜି ଅନୁସାରେ ଅ୧୩ ଙ୍କେ କକଡା ଦି୨୫ନେ (ଖ୍ରୀଷ୍ଟପୂର୍ବ ୧୫୫୪, ଅଗଷ୍ଟ ୧୦) ରେ ପୁରୁଷମଣ୍ଡପ ଗ୍ରାମରେ ନିର୍ମାଣ କରିଥିବା ମଣ୍ଡପରେ, ୨ୟ ପାଞ୍ଜି ଅନୁସାରେ ଅ୫୯ଙ୍କେ ମେଷ ଦି୨୫ନେ (ଖ୍ରୀଷ୍ଟପୂର୍ବ ୧୫୦୮, ମେ ୮) ଶ୍ରୀ ପୁରୁଷୋତ୍ତମେ ଶଙ୍ଖ ନାଭି ମଣ୍ଡଳରେ ୫୭ ଫୁଟର ଖୁମ୍ବବିହୀନ ପ୍ରାସାଦ ପ୍ରତିଷ୍ଠା କରି ମହାପ୍ରଭୁଙ୍କୁ ବିଜେ କରାଇଥିଲେ।
ଏଥିରୁ ଏହା ପ୍ରମାଣିତ ହୁଏ ଯେ ଶୋବନ ଦେବଙ୍କ ପଳାୟନ ସମୟରେ ତାଙ୍କ ସହ ଥିବା ପ୍ରତିମା ନିମ୍ବ କାଷ୍ଠରେ ନିର୍ମିତ ହୋଇଥିଲା। କଳିଙ୍ଗ ସମ୍ରାଟ ଖାରବେଳ (ଖ୍ରୀର୍ଷ୍ଟପୂର୍ବ ୧୦୩୧) ଙ୍କ ହାତୀଗୁମ୍ଫା ଶିଳାଲେଖର ୧୧ଶ ଧାଡି – କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳ ତାଙ୍କ ରାଜତ୍ୱର ୧୧ ତମ ବର୍ଷରେ ୧୩୦୦ ବର୍ଷ ପୂର୍ବେ କଳିଙ୍ଗୀୟ ରାଜାଙ୍କ ଦ୍ୱାରା ନିମ୍ବ କାଷ୍ଠରେ ନିର୍ମିତ କେତୁଭଦ୍ରଙ୍କ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ – ମାଦଳାପାଞ୍ଜିଙ୍କ ଉକ୍ତିର ପୁଷ୍ଟି କରୁଛି।କେତୁଭଦ୍ର ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଅନ୍ୟ ଏକ ନାମ ଅଟେ।
ପ୍ରାୟ ୧୭୦ ବର୍ଷ କାଳ ପର୍ବତ ଖୋଲରେ ରହିଲା ପରେ ମହାପ୍ରଭୁଙ୍କ କାଷ୍ଠର ଆକୃତି ଓ ରଙ୍ଗରେ କ୍ଷୟ ଆସି ଯାଇଥିଲା। ସେଥିପାଇଁ ମାଦଳାପାଞ୍ଜି ଲେଖିଲେ – ଦେଅମାନଙ୍କୁ ଲୁଗା ଗୁଡିଆଇ ମୁଣାରେ ପୂରେଇ ମୁଦାଇଲେ। ଏହାର ଅର୍ଥ ସେତେବେଳେ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତି ଥିଲେ। ଚତୁର୍ଭୂଜଧାରୀ ନୀଳମାଧବ ମୂର୍ତ୍ତିର କିମ୍ବଦନ୍ତୀ ଆହୁରି ପ୍ରାଚୀନ ଅଟେ। ଏହି ଉକ୍ତି ମହାପ୍ରଭୁଙ୍କ ଆକୃତି ସମ୍ବନ୍ଧରେ ଥିବା ଅନେକ କଳ୍ପନାଜଳ୍ପନାର ଅବସାନ କରେ।
ଯଜ୍ଞପୁର (ବିରଜାକ୍ଷେତ୍ର) ର ନାଗବଂଶୀ ମାନଙ୍କ ସାହାଯ୍ୟରେ ସମ୍ପୂର୍ଣ୍ଣ ଉତ୍କଳ ଅଧିକୃତ କଲା ପରେ ଯଜାତି କେଶରୀ ଓଡ୍ରର ପୁରୁଷୋତ୍ତମ କ୍ଷେତ୍ରରେ ଗୋବିନ୍ଦ ଦ୍ୱାଦଶୀ ପବିତ୍ର ସ୍ନାନ ଅବସରରେ ପହଞ୍ଚି ଥିଲେ। ସେଠାରେ ମହାପ୍ରଭୁଙ୍କ ବିଗ୍ରହର ଅଦୃଶ୍ୟ ହେବା ଜାଣି ତାଙ୍କର ସନ୍ଧାନ ନେବା ଆରମ୍ଭ କଲେ। ତାଙ୍କ ମାତାଙ୍କ ନିକଟରେ ଥିବା ତଥ୍ୟ ଆଧାରରେ ସେ ପ୍ରଥମେ ମହାପ୍ରଭୁଙ୍କ ସନ୍ଧାନ ନେଲେ। ପରେ ସେବାୟତ ମାନଙ୍କୁ ଠାବ କଲେ।
“ଦଇତାମାନେ ବିରିବନ୍ଧରେ ଥିଲେ। ପତିମାନେ ରତନପୁର ସିମାରେ ଥିଲେ। ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ।“ – ଉକ୍ତି ନବ କଳେବର ସମ୍ବନ୍ଧୀୟ ବ୍ୟକ୍ତି ମାନଙ୍କ ପାଇଁ ଅଟେ। ଏହାର ଅର୍ଥ ନବ କଳେବର ଏହା ପୂର୍ବରୁ ସୋମବଂଶୀଙ୍କ ସମୟରେ ମଧ୍ୟ ଥିଲା। ଦଇତା ମାନଙ୍କ “ବିରିବନ୍ଧ” କୁ ପଶ୍ଚିମ ଓଡିଶା ଓ ପତି ମାନଙ୍କ “ରତନପୁର” କୁ ଛତିଶଗଡର ବିଳାସପୁର ନିକଟସ୍ଥ ଗ୍ରାମ ରୂପେ ଐତିହାସିକ ମାନେ ଚିହ୍ନଟ କରିଛନ୍ତି।
ରାଜା ଶୋବନ ଦେବଙ୍କ ସହ ଯାଇଥିବା ଦଇତା ଓ ପତି ମାନେ ସେମାନଙ୍କ ପରିବାର ସହ ଖ୍ରୀଷ୍ଟପୂର୍ବ ୧୭୭୧ ଠାରୁ ୧୭୨୬ ଯାଏଁ ୪୫ ବର୍ଷ କାଳ ଗୋପାଳୀ ଠାରେ ନିର୍ମିତ ମଣ୍ଡପରେ ମହାପ୍ରଭୁଙ୍କ ସେବା କରିଥିଲେ। କିନ୍ତୁ ବାରମ୍ବାର ଆକ୍ରମଣ ଫଳରେ ମହାପ୍ରଭୁଙ୍କୁ ପାତାଳୀ କରିଥିଲେ। ଫଳରେ ମହାପ୍ରଭୁଙ୍କ ନିତ୍ୟ ପୂଜା ଓ ସେବା କାର୍ଯ୍ୟ ସେଠାରେ ରହିଥିବା ସେମାନଙ୍କ ପରବର୍ତ୍ତୀ ବଂଶଧର ମାନେ ଭୁଲି ଯାଇଥିଲେ। ତାଙ୍କ ନବକଳେବର ବିଧାନ ବହୁ ଦୂରର ବିଷୟ ଥିଲା।
ଅନେକ ବର୍ଷ ପରେ ରତନପୁର, ଛତିଶଗଡରୁ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ଭବଦେବ ରଣକେଶରୀ ଙ୍କ ଶିଳାଲେଖ (ନାଗପୁର ସଂଗ୍ରହାଳୟରେ ଗଛିତ ହୋଇ ରହିଛି) ରୁ ଜଣାପଡେ ସେମାନେ ପାଣ୍ଡବବଂଶୀ ଉଦୟନଙ୍କ ବଂଶଜ ଥିଲେ। ଉଦୟନ ପାଣ୍ଡବବଂଶୀ ଜନ୍ମେଜୟଙ୍କ ନାତି ସହସ୍ରାନିକଙ୍କ ପୁତ୍ର ଥିଲେ। ରତନପୁରରୁ କାଳଚୁରୀ ବଂଶଜଙ୍କ ଅନ୍ୟ ଏକ ତାମ୍ରପଟ୍ଟକରୁ ମଧ୍ୟ ରତନପୁର ପ୍ରାଚୀନ ସୋମବଂଶୀମାନଙ୍କ ରାଜ୍ୟ ଥିବା ସୂଚନା ମିଳେ। କାଳଚୁରୀ ମାନେ ପ୍ରାଚୀନ ହୈହେୟ ବଂଶଜ ଥିଲେ। ହୈହେୟ ମାନେ ସୋମବଂଶୀ ଥିଲେ। ଓଡ୍ରର ପ୍ରାଚୀନ ସୋମବଂଶୀ ରାଜା ଭୋଜଦେବଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ନିମ୍ବକାଷ୍ଠ ପ୍ରତିମାର ଦୈନିକ, ସାମୟିକ ଓ ବ୍ରହ୍ମ ପରିବର୍ତ୍ତନ କରୁଥିବା ସମୟରେ ଆବଶ୍ୟକୀୟ ରୀତିନୀତିରେ ଅନନ୍ୟ ରୂପେ ଭାଗ ନେଉଥିବା ପତି ମାନେ ସେହି ରତନପୁର ର ବାସିନ୍ଦା ଥିବା ରାଜା ଯଜାତିଙ୍କ ସନ୍ଧାନରୁ ଜଣାପଡେ। ମାଦଳାପାଞ୍ଜିରେ ବର୍ଣ୍ଣିତ ଭୋଜଦେବଙ୍କ ଅନେକ ସମୟ ପୂର୍ବରୁ ବତ୍ସ ଦେଶର ଉଦୟନଙ୍କ ଶାସନ ସେଠାରେ ଚାଲିଥିଲା। ତେଣୁ ଯଜାତିଙ୍କୁ ସେମାନଙ୍କୁ ରତନପୁରରୁ ଅଣାଇବା ସହଜ ହେଲା।
ବିରିବନ୍ଧ ଏକ ଅତି ପ୍ରାଚୀନ ଓଡିଆ ନାମ। ଏହା ବିରି ଉତ୍ପାଦିତ ହେଉଥିବା ସ୍ଥାନରେ ହୋଇଥିବା ବନ୍ଧ ରୂପେ ଚିନ୍ତା କରା ଯାଇଥାଏ। କିନ୍ତୁ ଏହା ପ୍ରାଚୀନ କଙ୍ଗୋଦର ରାଜଧାନୀ ବଙ୍କଡାଗଡ ଅଞ୍ଚଳର ଏକ ପ୍ରାଚୀନ ବନ୍ଧ ଅଟେ। ବଙ୍କଡାଗଡ ପୂର୍ବରୁ ସାଳିଆ ନଦୀର ଉତ୍ପତ୍ତିସ୍ଥଳ ଅଧୁନା ବାଣପୁରର ନୀଳାଦ୍ରୀପ୍ରସାଦ ଗ୍ରାମ (ପ୍ରାକ୍ତନ ବଙ୍କଡାଗଡ) ନିକଟସ୍ଥ ଝରଣା ଜଳରେ ନିର୍ମିତ ପ୍ରାକୃତିକ ବନ୍ଧ ସନ୍ନିକଟ ଠାକୁରାଣୀ ବିରିଜାଈ ଙ୍କ ନାମ ଅନୁସାରେ ତାର ନାମ ବିରିବନ୍ଧ ଦିଆ ଯାଇଥିବା ଅନୁମିତ ହୁଏ।
ବଙ୍କଡାଗଡରେ ଶ୍ରୀଜଗନ୍ନାଥଙ୍କ ପାତାଳୀରେ ରହିବା ପର ଠାରୁ ତା’ର ନାମ କରଣ ନୀଳାଦ୍ରୀପ୍ରସାଦ ହୋଇଛି। ଭାଲେରୀ ପାହାଡର ଉତ୍ତରପାର୍ଶ୍ୱ ତଳେ ଥିବା ଦେବୀ ବିରିଜାଈ ଙ୍କ ମନ୍ଦିର ଶୈଳୋଦଭବ ଶାସକ ମାନଙ୍କ ଆରାଧ୍ୟ ଦେବୀ ଭଗବତୀଙ୍କ ମନ୍ଦିର ଠାରୁ ଏକ ପ୍ରାଚୀନ ମନ୍ଦିର ଅଟେ। ସ୍ଥାନୀୟ ଆଦିବାସୀମାନଙ୍କ ସେ ଆରାଧ୍ୟ ଦେବୀ ଥିଲେ। ସେ ମନ୍ଦିରର ପୂଜକ ଜଣେ ଜାନୀ ଅଟନ୍ତି।
ସ୍ୱର୍ଗତ ସଦାଶିବ ରଥଶର୍ମାଙ୍କ ସହ ଏକ ସାକ୍ଷାତକାରରେ ବିରିଜାଈ ମନ୍ଦିରର ଶବର ପୂଜକ ଆଦୂନୀ ଜାନୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଉପାସନା ଶବରଙ୍କ ଠାରୁ ଆରମ୍ଭ ସମ୍ବନ୍ଧରେ କହିଥିଲେ – ସମଗ୍ର ପୃଥିବୀ ଯେତେବେଳେ ଜଳାର୍ଣ୍ଣବ ହୋଇ ଯାଇଥିଲା, କେବଳ ମହାପ୍ରଭୁ ଜଗନ୍ନଥ ଓ ବିରିଜାଈ ଠାକୁରାଣୀ ଦୁହେଁ ଜୀବିତ ଥିଲେ। ସେମାନଙ୍କ ପାଖରୁ ଶବର, ଘୌରା, ସାନ୍ତାଳୀ, କିରାତୋ ଓ ଜାନୀ ଜନ୍ମ ନେଲେ। ସେମାନଙ୍କୁ ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଜଳରେ ୧୨ ବର୍ଷ କାଳ ଗଭୀର ତପସ୍ୟାରେ ରହିବାକୁ ମାତା ବିରିଜାଈ କହିଲେ। ଶେଷରେ ମହାପ୍ରଭୁ ବର ଦେଲେ ଯେ ସେ ନିମ୍ବ ବୃକ୍ଷ ରୂପେ ଦର୍ଶନ ଦେବେ। ସେ ଦିନରୁ ନିମ୍ବବୃକ୍ଷକୁ ଜଗନ୍ନାଥ ମନେ କରି ସେମାନେ ଉପାସନା କଲେ। ସେମାନେ ଜଗନ୍ନାଥଙ୍କୁ ଓ ଜଗନ୍ନାଥ ସେମାନଙ୍କୁ କାଳକ୍ରମେ ଜନ୍ମ ଦେଲେ। ସେହି ଦିନରୁ ବ୍ରାହ୍ମଣଙ୍କ ସଦୃଶ୍ୟ ଉପାସନା କରିବା ଶବର ମାନଙ୍କ ମୁଖ୍ୟଙ୍କ କାର୍ଯ୍ୟ ହେଲା। ପାଞ୍ଚ ଖଣ୍ଡ ଭୂଜପତ୍ରରେ ଦର୍ପଣି ଲିପିରେ ଲିଖିତ ଏହି ବିଷୟ ସେ ସେତେବେଳେ ପ୍ରଦର୍ଶିତ କରିଥିଲେ। (୨)
ଉପର ବର୍ଣ୍ଣିତ କିମ୍ବଦନ୍ତୀ ନିଶ୍ଚିତ ରୂପେ ସୋମବଂଶୀ ରାଜା ଭୋଜଦେବଙ୍କ ପୂର୍ବର ଅଟେ। ତାଙ୍କ ସମୟରେ ନିମ୍ବକାଷ୍ଠରେ ପୁରୁଷୋତ୍ତମଙ୍କ ବିଗ୍ରହ ପ୍ରତିଷ୍ଠା (ଖ୍ରୀଷ୍ଟପୂର୍ବ ୨୩୨୧) ହେଲା। ଏହି ବ୍ୟାଖ୍ୟାନ ଶୁଣିଲା ପରେ ସମ୍ଭବତଃ ପୁରୁଷୋତ୍ତମଙ୍କ ବିଗ୍ରହ ଉପାସନାର ରୂପ ସାମଗ୍ରୀର ପରିବର୍ତ୍ତନ ହୋଇଥିବ। ଏହା ବିରିଜାଈ ଠାକୁରାଣୀଙ୍କ କୃପାରୁ ହୋଇଥିବା ସ୍ଥାନୀୟ ଅଧିବାସୀ ମାନେ ବିଶ୍ୱାସ କରନ୍ତି। ସାଧକ ମାନେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଅଂଶ ରୂପେ ସିଂହବାହିନୀ ବିରିଜାଈଙ୍କୁ ମନରେ ନେଇଥାନ୍ତି। ଚୈତ୍ରମାସରେ ସୋମବଂଶର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ରଥଯାତ୍ରା ସମୟରେ ଶୈଳୋଦ୍ଭବ-ବଂଶର ଅଧିଷ୍ଠାତ୍ରୀ ବାଣପୁର ଦେବୀ ଭଗବତୀଙ୍କ ଖୁଆଡରେ ଧ୍ୱଜଯାତ୍ରା ଦେବୀ ବିରଜା, ଦେବୀ ଭଗବତୀ ଓ ପ୍ରାଚୀନ ଶବର-ବଂଶର ଅଧିଷ୍ଠାତ୍ରୀ ଦେବୀ ବିରିଜାଈ ମଧ୍ୟର ଅଦୃଶ୍ୟ ସମ୍ବନ୍ଧର ସୂଚନା ଦିଏ।
ରାଜା ଯଜାତି ପାତାଳୀରେ ମହାପ୍ରଭୁଙ୍କ ଜୀର୍ଣ୍ଣ ନିମ୍ବକାଷ୍ଠର ଶରୀର ଦର୍ଶନ କଲାପରେ ତାଙ୍କୁ ପ୍ରାଚୀନ ସୋମବଂଶୀ ମାନଙ୍କ ସମୟରେ ନିମ୍ବକାଷ୍ଠରେ ନିର୍ଦ୍ଧିଷ୍ଟ ଚିହ୍ନର ଚୟନ କରି ପାରିଥିବା ବିରିବନ୍ଧର ଜାନୀ ସମ୍ପ୍ରଦାୟର ସେବାୟତ ମାନଙ୍କୁ ଚିନ୍ତନ କଲେ, ଯେଉଁମାନଙ୍କ ବଂଶଧରମାନଙ୍କୁ ରାଜା ଭୋଜଦେବଙ୍କ ସମୟରୁ ନିମ୍ବକାଷ୍ଠର ଚୟନ ଓ ଉପାସନା ସମ୍ବନ୍ଧରେ ଜ୍ଞାନ ନିମନ୍ତେ ନିୟୋଜିତ କରା ଯାଉଥିଲା। ସେହି ପାରମ୍ପରିକ ଜ୍ଞାନ ପୁରୁଷାନୁକ୍ରମେ ସେମାନଙ୍କ ବଂଶ ପରମ୍ପରାରେ ଆହରିତ ହେଉଥିଲା। ସେମାନେ ମାଦଳାପାଞ୍ଜି ର ଦଇତା ମାନେ ଥିଲେ। ନୀଳାଦ୍ରୀପ୍ରସାଦ ର ଝିରିପାଦ ସେ ସମୟର ବିରିବନ୍ଧ (ବିରିଜାଈ ଠାକୁରାଣୀଙ୍କ ପାଖ ଝରଣା ବନ୍ଧ) ଥିଲା। ଝିରିପାଦରୁ ଦକ୍ଷିଣ ଦିଗେ ଅନତି ଦୂରେ ଖ୍ରୀଷ୍ଟାବ୍ଦ ୧୯୬୨ ରେ ସାଳିଆ-ବନ୍ଧ ନାମରେ କୃତ୍ରିମ ବନ୍ଧ ନିର୍ମାଣ କରାଗଲା।
ମାଦଳାପାଞ୍ଜିରେ ସୋମବଂଶୀ ଯଜାତି କେଶରୀଙ୍କ ସମୟରେ ହୋଇଥିବା ପାତାଳୀ ଉପରାନ୍ତ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ଲିପିବଦ୍ଧ ନବକଳେବର ସମ୍ବନ୍ଧୀୟ ଦଇତା ଓ ପତି ମାନଙ୍କର ଭୂମିକାକୁ ବୁଝିଲେ ବ୍ରହ୍ମ ପଦାର୍ଥ ସମ୍ବନ୍ଧରେ ରହିଥିବା ଭ୍ରାନ୍ତ ଧାରଣା ସ୍ୱତଃପ୍ରବୃତ ରୂପେ ଉଭେଇ ଯାଏ। ସମାଜରେ ଘୁରି ବୁଲୁଥିବା ଭିନ୍ନ ଭିନ୍ନ କାହାଣୀର ଅବସାନ ହୁଏ। ଏହା ସନାତନ ଧର୍ମର ବିଶିଷ୍ଟତା ଅଟେ ଯାହାକୁ ସିଦ୍ଧ ଯୋଗୀମାନେ ମଧ୍ୟ ହୃଦୟଙ୍ଗମ କରି ପାରି ନାହାଁନ୍ତି।
(୧) ସ୍ୱର୍ଗତ ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ଜୁଲାଇ ୧୯୯୬, ଉତ୍କଳ ପ୍ରସଙ୍ଗର ରଥ ଯାତ୍ରା ବିଶେଷାଙ୍କ ଲେଖା “ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନତା ଏବଂ ମନ୍ଦିର ପ୍ରତିଷ୍ଠା”
(୨) ଡଃ ବିନୋଦିନୀ ଦାଶ, Odisha Review, ଜୁଲାଇ ୨୦୧୫
Comments
Post a Comment