ନବମ ଅବତାର – ନୂତନ ଦୃଷ୍ଟିକୋଣ
ପୁରୁଷୋତ୍ତମ-ଜଗନ୍ନାଥଙ୍କ ନବମ ଅବତାର ସାଂଖ୍ୟଯୋଗୀ ଗୌତମ ବୁଦ୍ଧଙ୍କ ୩୯୬୫ ତମ ଜନ୍ମ ଜୟନ୍ତୀ ଅବସରରେ ଅଶେଷ ଭକ୍ତିପୁଷ୍ପ ଶ୍ରଦ୍ଧାଞ୍ଜଳିଯୁକ୍ତ ପ୍ରଣାମ ସହ ଆରମ୍ବ କରୁଛି ପୁରାଣ ପର୍ଯ୍ୟବେଶିତ ତାଙ୍କ ଜନ୍ମ ଚରିତ।
ଅନନ୍ତକାଳରୁ ଶାଳଗ୍ରାମ ପୀଠାସୀନ ପୁରୁଷୋତ୍ତମ ଜଗନ୍ନାଥ ଙ୍କ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ ରୂପେ ସମସ୍ତ ଜଡ ଓ ଜୀବ ମଧ୍ୟରେ ପରମାତ୍ମାଙ୍କ ନିବାସ ରହିଥିବା ବେଦାନ୍ତ ଦର୍ଶନ ତତ୍ତ୍ବର ପୁରୁଷୋତ୍ତମୀୟ-ଜ୍ଞାନ-ବ୍ୟାଖ୍ୟା (ଅନ୍ତସ୍ଥ ଓ ବ୍ରହ୍ମାଣ୍ଡୀୟ) ଜନିତ ପରାକାଷ୍ଠା ଶ୍ରୀକ୍ଷେତ୍ର-ପୁରୀର ଋଷି ଓ ଜ୍ଞାନୀ ପଣ୍ଡିତ ମାନଙ୍କ ଅନ୍ତସ୍ଥ ଉଦ୍ଭବ ବୈଦିକ ଜ୍ଞାନର ସୈଦ୍ଧାନ୍ତିକ ସତ୍ୟତା ତା’ର ପ୍ରାମାଣିକତା ଦର୍ଶାଇ ଆସିଛି।।
ପରମାତ୍ମା ଶ୍ରୀପୁରୁଷୋତ୍ତମ-ଜଗନ୍ନାଥଙ୍କ ଦାରୁବିଗ୍ରହ ପ୍ରତ୍ୟେକ ପ୍ରାଣୀଙ୍କ ଆତ୍ମସାକ୍ଷାତକାରେ ଜ୍ଞାନ ପ୍ରାପ୍ତି ଅବସ୍ଥାକୁ ଦର୍ଶାଇ ଥାଏ। ତାଙ୍କ ରୂପ-ଅବତାରରେ ପ୍ରଥମେ ଭୃଗୁ ଋଷିଙ୍କ କନ୍ୟା ଲକ୍ଷ୍ମୀ (ଶ୍ରୀ)ଙ୍କ ସ୍ୱାମୀ ବିଷ୍ଣୁ ଗଣା ହେଲେ। ମହାନାରାୟଣୀୟ ଉପନିଷଦ ଅନୁସାରେ ଋଷି ନାରାୟଣ (ପ୍ରାଗଜ୍ୟୋତିଷପୁର ଅସୁର ବଂଶ ହିରଣ୍ୟକଶିପୁ ର ବଦ୍ଧ କରିଥିବା ଭଗବାନ ନୃସିଂହ) ଙ୍କୁ ବିଷ୍ଣୁ ଓ ଦେବକୀପୁତ୍ର ବାସୁଦେବ କୃଷ୍ଣ ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ବେଦାଚାର୍ଯ୍ୟ ମାନଙ୍କ ଦ୍ୱାରା ବିଷ୍ଣୁରୂପୀ ଋଗ୍ବେଦୀୟ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ନିରୂପିତ ଜନ୍ମ ସମୟ ତଥା ତାଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡର ଉପାସନାର କିମ୍ବଦନ୍ତୀ ଏହି ଅବତାର କ୍ରମଣିକାରେ ତାଙ୍କ ପୌରାଣିକ ଓ ଐତିହାସିକ ଉପସ୍ଥିତି ଅଟେ। (୧)
ମହାଭାରତ ଯୁଦ୍ଧ ପରେ ଉଭୟ ପକ୍ଷ ସୈନ୍ୟବାହିନୀଙ୍କ ସମେତ ସେମାନଙ୍କ ଦଳମୁଖ୍ୟଙ୍କ ହତାହତ ଫଳରେ ସମାଜରେ ଉପୁଜିଥିବା ରିକ୍ତ ସ୍ଥାନରେ ଧର୍ମପାଳନ ବିଧି ସମ୍ପର୍କିତ ବିଶୃଙ୍କଳ ଦେଖା ଦେଇଥିଲା। ଶ୍ରୀକୃଷ୍ଣ, ତାଙ୍କ ଭାତୃବ୍ୟ ତୀର୍ଥଙ୍କର ନେମିନାଥ ଓ ବ୍ୟାସ ଆଦି ମହର୍ଷି ମାନଙ୍କ ଦେହାନ୍ତ ସେହି ରିକ୍ତ ସ୍ଥାନରେ ଅତ୍ୟଧିକ ଶୂନ୍ୟତା ସୃଷ୍ଟି କରିଥିଲା। ଫଳରେ ଆଜିବୀକା (ପାରମ୍ପରିକ ରୀତିନୀତିର ବିରୋଧୀ ଗୋଷ୍ଠୀ ଯାହାଙ୍କୁ ଈଶ୍ୱର ବିରୋଧୀର ଆଖ୍ୟା ଦିଆ ଯାଇଥିଲା) ନାମରେ ଭିନ୍ନ ଏକ ସମ୍ପ୍ରଦାୟଙ୍କ ସୃଷ୍ଟି ହୋଇଥିଲା। ଏହିଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଅନେକ କାହାଣୀ ଓ କିମ୍ବଦନ୍ତୀର ନାୟକ ଗୌତମ ବୁଦ୍ଧଙ୍କ ଜନ୍ମ ଓଡିଆ ଭାଗବତ (ପ୍ରଥମ ସ୍କନ୍ଦ, ତୃତୀୟ ଅଧ୍ୟାୟ ୬୬, ୬୭, ୬୮) ଅନୁସାରେ କଳିଯୁଗର ପ୍ରଥମ ଭାଗରେ ହୋଇଥିଲା।
କଳି ଆଗମେ ଭାବଗ୍ରାହୀ। ପାଷା-ଜନ-ମନ ମୋହି॥ ବୁଦ୍ଧ ସ୍ୱରୂପ ଅବତାରେ। ଜନ୍ମିବେକୀକ୍କଟ ନଗରେ॥ ଜ୍ଞାନ ଉଦ୍ଦେଶ୍ୟେ ଭଗବାନ। ମୋହିବେ ଅସୁରଙ୍କ ମନ॥
ଶ୍ରୀମଦ ଭାଗବତମ୍ ର ୧-୩-୨୪ ରେ ଲେଖା ଯାଇଛି ଯେ, କଳିଯୁଗର ପ୍ରାରମ୍ଭରେ ମହାପ୍ରଭୁ ଈଶ୍ୱରବିଶ୍ୱାସୀଙ୍କୁ ଅସୂୟା ଭାବ ରଖିଥିବା ବ୍ୟକ୍ତିଙ୍କୁ ସମ୍ମୋହିତ କରିବା ନିମନ୍ତେ ବୁଦ୍ଧ ରୂପେ ଅଞ୍ଜନଙ୍କ ସନ୍ତତି ରୂପେ କୀକଟରେ ଆବିର୍ଭାବ ହେବେ।
ମହାଭାରତ, କର୍ଣ୍ଣ ପର୍ବର ତ୍ରିଂଶତମ ଅଧ୍ୟାୟ (ରସ୍କର, ମହିଷକ, କଳିଙ୍ଗା, କୀକଟ, ଅଟବି, କର୍କୋଟକ, ବୀରକ ଓ ଅନ୍ୟ ଧର୍ମହୀନମାନଙ୍କୁ ବର୍ଜ୍ଜନ କରିବାକୁ ହେବ) ର କୀକଟ ଶବ୍ଦକୁ ଧର୍ମଛଡାଙ୍କ ରାଜ୍ୟ ନିମନ୍ତେ ଓଡିଆ ଭାଗବତରେ ବ୍ୟବହାର କରା ଯାଇଥିଲା।
ବୁଦ୍ଧଙ୍କ ନିର୍ବାଣର ୯୦ ବର୍ଷ ପରେ ରାଜତ୍ୱ କରିଥିବା ହର୍ଯ୍ୟଙ୍କ ବଂଶୀ କଳାଶୋକ (ଖ୍ରୀଷ୍ଟପୂର୍ବ ୧୭୭୨ – ଖ୍ରୀଷ୍ଟପୂର୍ବ ୧୭୪୪)ଙ୍କ କଳିଙ୍ଗ ଆକ୍ରମଣର ବିଭିଷୀକା ଜନିତ ପ୍ରକମ୍ପନ ଓଡ୍ର (କଳିଙ୍ଗ) ରେ ସୁଦୀର୍ଘ ସମୟ ଧରି ଉପୁଜି ଥିବା ଧାର୍ମିକ-ବିଶ୍ୱାସ ରେ ପୁନଃ ବିସ୍ପଳନ ନ କରିବା ନିମନ୍ତେ ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ଲେଖା ଯାଇଥିବା ଓଡିଆ ଭାଗବତରେ ଅତିବଡି ଜଗନ୍ନାଥ ଦାସ ଅତି ସୁନ୍ଦର ଭାବେ କୀକଟ ଶବ୍ଦକୁ କପିଳବାସ୍ତୁର ଗୁଣବାଚକ ଅର୍ଥରେ ବ୍ୟବହାର କରିଥିଲେ। ପୁରୀରେ ଆଧୁନିକୀକରଣ ସମୟରେ ସଂସ୍କୃତ ଭାଗବତ ମଧ୍ୟ ତାହା ଅନୁକରଣ କଲେ।କାରଣ ପୁରାଣ ସମୂହର ଆଧୁନିକୀକରଣ ପୁରୀ ଠାରେ ହିଁ ହେଉଥିଲା।(ତତଃ କଲୌ ସମ୍ପ୍ରବୃତ୍ତେ ସମ୍ମୋହାୟ ସୁରଦ୍ବିଷାମ। ବୁଦ୍ଧୋ ନାମ୍ନାଞ୍ଜନସୁତ: କୀକଟେଷୁ ଭବିଷ୍ୟତି॥)
ସ୍କନ୍ଦପୁରାଣ (କୁମାରିକା ଖଣ୍ଡ) ପୁଷ୍ଟି କରନ୍ତି ଯେ ଯୁଗ ଆରମ୍ଭର ୩୬୦୦ ବର୍ଷ ପରେ ବୁଦ୍ଧ ଅଞ୍ଜନୀ (ଅଞ୍ଜନଙ୍କ ଦୁହିତା) ଙ୍କ ଗର୍ଭରୁ ଜନ୍ମ ନେବେ। ଗୌତମ ବୁଦ୍ଧଙ୍କ ମାତା ମାୟା ଙ୍କ ପିତାଙ୍କ ନାମ ଅଞ୍ଜନ ଥିଲା। (ତତସ୍ତ୍ରିଷୁ ସହସ୍ରେଷୁ ଷଟ୍ଶତୈରଧିକେଷୁ ଚ, ମାଗଧେ ହେମସଦନାଂଦଜନ୍ୟାଂ ପ୍ରଭବିଷ୍ୟତି)
ଶାକ୍ୟବଂଶୀ ଗୌତମ ବୁଦ୍ଧ ମୂଳତଃ ମନୁ (ଈକ୍ଷ୍ୟାକୁ) ବଂଶୀ ଥିଲେ। କାଶୀ-କୋଶଳ ଜନପଦରୁ ଈକ୍ଷ୍ୟାକୁ ମାନଙ୍କ ଏକ ଗୋଷ୍ଠୀ ଶାକ୍ୟ (ବୌଦ୍ଧଶାସ୍ତ୍ରରେ ତାଙ୍କୁ ଓକାକ୍କା କୁହା ଯାଇଛି) ରାଜାଙ୍କ ନେତୃତ୍ୱରେ କପିଳବାସ୍ତୁ ଯାଇ ସେଠାରେ ରାଜତ୍ୱ ଆରମ୍ଭ କରିଥିଲେ। ସେହି ବଂଶରେ ଗୌତମ ବୁଦ୍ଧ ରାଜା ଶୁଦ୍ଧୋଦନ ଓ ମାୟାବତୀଙ୍କ ଗୃହରେ ଜନ୍ମ ନେଇଥିଲେ। ଶ୍ରୀମଦ ଭାଗବତ ଓ ସ୍କନ୍ଦପୁରାଣରେ ବର୍ଣ୍ଣିତ ଅଞ୍ଜନ ବୁଦ୍ଧଙ୍କ ମାତାମହ ଅଟନ୍ତି। ଅଞ୍ଜନଙ୍କ ପୁତ୍ରୀଙ୍କୁ ସ୍କନ୍ଦ ପୁରାଣ ଅଞ୍ଜନୀ ରୂପେ ବର୍ଣ୍ଣନା କରୁଛନ୍ତି।
ସୁତ ଏକ ସଂସ୍କୃତ ଶବ୍ଦ ଅଟେ। ଏହା ସନ୍ତତି ମାନଙ୍କୁ ବୁଝାଇଥାଏ। ଏଠାରେ ତାହା ରାଜପୁତ୍ରଙ୍କୁ ବୁଝାଇଛି। ଯେହେତୁ ପ୍ରାଚୀନ ସମୟରେ ସେମାନଙ୍କ ପାଇଁ ପୌରାଣିକ ଇତିହାସ ମାନ ଲେଖା ଯାଉଥିଲା। ଏହି ଶବ୍ଦର ସନ୍ଦର୍ଭ ବି ରାଜପୁତ୍ର, ଅଞ୍ଜନଙ୍କ ଦୌହିତ୍ର, ଗୌତମ ବୁଦ୍ଧ ଅଟନ୍ତି।
ମାଦଳାପାଞ୍ଜିରେ ବର୍ଣ୍ଣିତ ସୋମବଂଶୀଙ୍କ ୩୭୮୩ ବର୍ଷ ଶାସନ ସମ୍ବନ୍ଧୀୟ ମୋର ସମୟ ଚିହ୍ନଟ ଆଲେଖ୍ୟରେ ସ୍ପଷ୍ଟ ରୂପେ ଉଲ୍ଲେଖ ହୋଇଛି ଯେ ମାଦଳାପାଞ୍ଜିଙ୍କ ଯୁଧିଷ୍ଠିରାବ୍ଦ ଓ ସ୍କନ୍ଦ ପୁରାଣର ଯୁଗଆରମ୍ଭ ର ସମୟ ଏକ ଅଟେ। ତାହା ହ୍ୟାଲି ଧୂମକେତୁର ପୃଥିବୀପୃଷ୍ଠରେ ୧୯୮୬ ଖ୍ରୀଷ୍ଟବ୍ଦ ପୂର୍ବର ୧୦୦ ତମ ପରିଦର୍ଶନର ସମୟ ଖ୍ରିଷ୍ଟପୂର୍ବ ୫୫୪୬ ଅଟେ। ସେହି ସମୟରୁ ୩୬୦୦ ବର୍ଷ ବିୟୋଗ କଲେ ସ୍କନ୍ଦପୁରାଣ ଅନୁସାରେ ବୁଦ୍ଧଙ୍କ ଜନ୍ମ ସମୟ ଖ୍ରୀଷ୍ଟପୂର୍ବ ୧୯୪୬ ଅଟେ।
ସିଂହଳ ରାଜବଂଶାବଳୀ ମହାବଂଶ ଅନୁସାରେ ଯେହେତୁ ସେ ୮୪ ବର୍ଷର ଜୀବନ ଯାପନ କରିଥିଲେ, ସ୍କନ୍ଦ ପୁରାଣ ଅନୁସାରେ ତାଙ୍କ ପରିନିର୍ବାଣର ସମୟ ଖ୍ରୀଷ୍ଟପୂର୍ବ ୧୮୬୨ ଅଟେ। ଗୌତମ-ବୁଦ୍ଧଙ୍କ ଜନ୍ମ ଓ ମୃତ୍ୟୁ ସମୟର ଆକଳନ ପୌରାଣିକ ତଥ୍ୟକୁ ଭିତ୍ତି କରି କରା ଯାଇଛି।
ସଦ୍ୟତମ ତଥ୍ୟ ଅନୁଯାୟୀ ଲୁମ୍ବିନୀ (ନେପାଳରେ ଲୁମ୍ବିନୀ ନାମ ପରେ ଦିଆ ଯାଇଥିଲା। ଅନେକ ପୂର୍ବରୁ ଲେଖା ଯାଇଥିବା ମାଦଳାପାଞ୍ଜି ଗଙ୍ଗବଂଶୀ ମଦନ ମହାଦେବ, ୧୦୯୩ – ୧୧୦୮ ଶକାବ୍ଦ, (୨ୟ ପାଞ୍ଜି ଅନୁସାରେ ଏହାଙ୍କ ନାମ ରାଜରାଜେଶ୍ୱର ଅଟେ) ସମୟରେ ଲେମ୍ବେଇ ପ୍ରଗଣା ବିଷୟ ଲେଖୁଛନ୍ତି) ର ଏକ ବୌଦ୍ଧସ୍ତୁପ ର ୫ ନମ୍ବର ଗର୍ତ୍ତରୁ ସଂଗୃହିତ ନମୁନାରୁ ଅଙ୍ଗାର-ବିଘଟନ-ନାଭିକ (Radiocarbon) ପ୍ରକ୍ରିୟା ଅନୁସାରେ ଏହା ଅଧିକତମ ୧୬୮୧ ଖ୍ରୀଷ୍ଟପୁର୍ବର ତଥା ଦୃଷ୍ଟି-ପ୍ରେରିତ-ସଂଦୀପ୍ତି (OSL) ମାପ ଅନୁସାରେ ଖ୍ରୀଷ୍ଟପୂର୍ବ ୧୫୨୦+ ୩୪୦ (୧୧୮୦ ରୁ ୧୮୬୦) ସମୟର ଥିବା ଜଣାପଡିଛି। ଅତୀତ ସମୟର କଳନା ନିମନ୍ତେ ଏହା ନିଶ୍ଚିତ ରୂପେ ବୈଜ୍ଞାନିକି ଦୃଷ୍ଟିକୋଣ ସମ୍ଭୂତ ତର୍କ ଅଟେ।
ବ୍ରହ୍ମଜ୍ଞାନର ଉପଲବ୍ଧି (ଆତ୍ମସାକ୍ଷାତକାର) ପରେ ଗୌତମ-ବୁଦ୍ଧ ସର୍ବାସ୍ତିବାଦ ଧର୍ମ ପାଳନ ପଦ୍ଧତି ପ୍ରଚାର କରିଥିଲେ। ସର୍ବାସ୍ତିବାଦ ସମସ୍ତଙ୍କ ଭିତରେ ବିଦ୍ୟମାନ ପରମାତ୍ମାଙ୍କ ଉପସ୍ଥିତିକୁ ବୁଝାଇଥାଏ। ଗୌତମ ବୁଦ୍ଧ କପିଳ ମୁନିଙ୍କ ଦ୍ୱାରା ପ୍ରଣୀତ ସାଂଖ୍ୟ ଦର୍ଶନ ଓ ମୁନି ଈଶ୍ୱରକୃଷ୍ଣଙ୍କ ସାଂଖ୍ୟକାରିକା ଦ୍ୱାରା ପ୍ରଭାବିତ ଥିଲେ। ସାଂଖ୍ୟ ଦର୍ଶନ ଆତ୍ମା ସତ୍ତ୍ୱ, ରଜ, ତମ ଯୁକ୍ତ ପ୍ରକୃତି ନିମନ୍ତେ ରହି ନଥାନ୍ତି, ବରଂ ସମସ୍ତ ପ୍ରକୃତିର ଉର୍ଦ୍ଧ୍ୱରେ ସେ ରହିଥିବା ବିଷୟ କହିଥାନ୍ତି। ଆତ୍ମତତ୍ତ୍ୱ ଦ୍ୱାରା ମହାଭାରତ ଯୁଦ୍ଧ ପରେ ଭାରତ ସାରା ବ୍ୟାପିଥିବା ବିଭିନ୍ନ ସାମାଜିକ କୁସଂସ୍କାର ଜନିତ ବିଶୃଙ୍ଖଳା ଠାରୁ ଉର୍ଦ୍ଧ୍ୱରେ ରହି ସେ ତାଙ୍କର ଏକ ବିଶାଳ ଅନୁସରଣକାରୀ ଗୋଷ୍ଠୀ ସୃଷ୍ଟି କରି ପାରିଥିଲେ।
ଚୀନ ପରିବ୍ରାଜକ ହୁଏନସାଂ ତାଙ୍କ ଭାରତ ଗସ୍ତ ବର୍ଣ୍ଣନାରେ କୌଶାମ୍ବୀ (ବତ୍ସ ଜନପଦର ରାଜଧାନୀ) ର ରାଜପ୍ରାସାଦ ରେ ବୁଦ୍ଧଙ୍କ ରକ୍ତଚନ୍ଦନ କାଷ୍ଠ ପ୍ରତିମା ଉଦୟନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଦେଖିଥିଲେ।
ବତ୍ସ ଜନପଦର ରାଜଧାନୀ କୌଶାମ୍ବୀର ପାଣ୍ଡୁବଂଶରେ ଦୁଇଜଣ ଉଦୟନ ଥିଲେ। ସୋମଦେବ ଙ୍କ କଥାସରିତ ସାଗର ଅନୁସାରେ ପ୍ରଥମ ଉଦୟନ ରାଜା ଜନ୍ମେଜୟଙ୍କ ନାତି ରାଜା ସହସ୍ରାନିକଙ୍କ ପୁତ୍ର ଓ ଓଡ୍ରର ସୋମବଂଶୀ ଗୌତମ ଦେବଙ୍କ ସମସାମୟିକ ଥିଲେ। ଭୁବନେଶ୍ୱର ସ୍ଥିତ ଗଣେଶ ଗୁମ୍ଫାରେ ଖୋଦିତ ତାଙ୍କର ଓ ବାସବଦତ୍ତାଙ୍କ ପ୍ରସିଦ୍ଧ ପ୍ରେମ କାହାଣୀ କବି ଗୁଣାଢ୍ୟ ତାଙ୍କ ବଡ୍ଡକଥାରେ ବର୍ଣ୍ନନା କରିଛନ୍ତି।
ହୁଏନସାଂଙ୍କ ବର୍ଣ୍ଣିତ ଉଦୟନ ନିଶ୍ଚିତ ରୂପେ ଦ୍ୱିତୀୟ ଉଦୟନ ଥିଲେ। ସେ ସହସ୍ରାନିକଙ୍କ ବଂଶଜ ରାଜା ଶତାନିକଙ୍କ ପୁତ୍ର ଥିଲେ। ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ ଲେଖୁଛନ୍ତି, ଗୋଟିଏ ତିଥିରେ ଜନ୍ମିତ ବୁଦ୍ଧ ତାଙ୍କ ସମସାମୟିକ ବତ୍ସରାଜା ପାଣ୍ଡୁବଂଶୀ ଉଦୟନଙ୍କ ଧର୍ମାଚାର୍ଯ୍ୟ ଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଦଳା ପାଞ୍ଜି ଅନୁସାରେ ବୁଦ୍ଧଙ୍କ ଜନ୍ମ ସମୟରେ ସୋମବଂଶୀ ତ୍ରିଭୂବନ ଦେବ (ଖ୍ରୀଷ୍ଟପୂର୍ବ ୧୯୭୧ ରୁ ୧୯୦୮) ଓଡ୍ରର ରାଜା ଥିଲେ। ମାଦଳାପାଞ୍ଜିଙ୍କ ବର୍ଣ୍ଣନା ଅନୁସାରେ ତ୍ରିଭୂବନଦେବଙ୍କ ଦ୍ୱାରା ସାମାଜିକ ବିନିମୟ ଯୋଗ୍ୟ ମୁଦ୍ରା କାର୍ଷାପଣ ଆରମ୍ଭ କରା ଯାଇଥିଲା। ସାରା ଭାରତବର୍ଷରେ ଏହାର ବ୍ୟବହାର ହେଉଥିବା ବୌଦ୍ଧ ସାହିତ୍ୟରେ ବିଶେଷ ରୂପେ ଉଲ୍ଲେଖ ରହିଛି। [ଗୋଟିଏ କଉଡି = ଏକ କଡା, ଚାରି କଡା = ୧ ଗଣ୍ଡା, ୫ ଗଣ୍ଡା = ୧ ବୋଡି, ୨୦ ଗଣ୍ଡା = ୧ ପଣ, ୧୬ ପଣ = ୧ କାହାଣ (କାର୍ଷାପଣ)]
୪ର୍ଥ ଶତାବ୍ଦୀର ଗୌଡଦେଶ ନୃପତି ଲକ୍ଷଣସେନଙ୍କ ସଭା ମଣ୍ଡନ କରିଥିବା ତତ୍କାଳୀନ ଓଡ୍ରର ପ୍ରାଚୀ ନଦୀ କୂଳ କେନ୍ଦୁଲି ଶାସନରେ ଜନ୍ମିତ କବିଶ୍ରେଷ୍ଠ ଜୟଦେବ ତାଙ୍କ କାବ୍ୟ ଗୀତ-ଗୋବିନ୍ଦ (ପ୍ରଥମଃ ସର୍ଗଃ, ସାମୋଦ ଦାମୋଦରମ୍) ର ଦଶାବତାର ସ୍ତୁତିରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ନିମ୍ନମତେ ବର୍ଣ୍ଣନା କରୁଛନ୍ତି–
ନିନ୍ଦସି ଯଜ୍ଞ ବିଧେରହହ ଶ୍ରୁତିଜାତମ୍ ସଦୟହୃଦୟ ଦର୍ଶିତପଶୁଘାତମ୍। କେଶବ ଧୃତ ବୁଦ୍ଧଶରୀର, ଜୟ ଜଗଦୀଶ ହରେ॥
ଅର୍ଥ- ହେ କେଶବ ! ଆପଣ ବୁଦ୍ଧ ଅବତାରରେ ଯଜ୍ଞସମୂହେ ପଶୁଘାତ ଦେଖି ସଦୟ ହୃଦୟେ ବେଦରୁ ଜାତ ବୋଲି କୁହା ଯାଉଥିବା ବେଦବିରୁଦ୍ଧ ପଶୁହିଂସା ସମ୍ବଳିତ ଯଜ୍ଞବିଧିକୁ ନିନ୍ଦା କରିଥିଲେ। ହେ ଜଗଦୀଶ ! ଆପଣଙ୍କର ସେହି ବୁଦ୍ଧ ଅବତାରର ଜୟ ହେଉ। (୨)
୭ମ ଶତାବ୍ଦୀର ଓଡ୍ର-ରାଜା ଗଜପତି କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ସନାତନ ସମାଜ କପିଳବାସ୍ତୁରେ ଜନ୍ମ ନେଇଥିବା ଗୌତମ ବୁଦ୍ଧଙ୍କୁ ଶ୍ରୀପୁରୁଷୋତ୍ତମ-ଜଗନ୍ନାଥଙ୍କ ଅବତାର କ୍ରମଣିକାରେ ନବମ ଅବତାର ରୂପେ ଗ୍ରହଣ କରି ସାରିଥିବା ତଥ୍ୟ ଓଡିଆ ଆଦିକବି ସାରଳା ଦାସଙ୍କ ମହାଭାରତର ପଂକ୍ତି (ବନ୍ଦଇ ସଶରୀ ଜଗନ୍ନାଥ ବୈକୁଣ୍ଠ ନିବାସୀ। ବୌଦ୍ଧ ରୂପେ ନୀଳଗିତି ସିଖେ ଅଛ ବସି॥ ବଳଭଦ୍ର ସୁଭଦ୍ରା ସହିତ। ଚାରି ରୂପେ ବିଜେ ନୀଳ ସୁନ୍ଦର ପର୍ବତେ॥) ରୁ ସୂଚିତ ହୁଏ।
ସମ୍ଭବତଃ ନୀଳମତ ପୁରାଣ ରେ ଉଲ୍ଲେଖ ବୁଦ୍ଧ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ବୁଦ୍ଧଙ୍କୁ ଅବତାର କ୍ରମଣିକାରେ ଗ୍ରହଣ କରିବାର ପ୍ରଥମ ପ୍ରକ୍ରିୟା ଥିଲା।
[ବିଷ୍ଣୁଦୈବୋ ଜଗନ୍ନାଥ ପ୍ରାପ୍ତେ ବ୍ରହ୍ମନ କଲୌଯୁଗେ,
ଅଷ୍ଟାବିଂଶତିମେ ଭାବୀ ବୁଦ୍ଧୋ ନାମ ଜଗଦଗୁରୁଃ।
ପୁଷ୍ୟଯୁକ୍ତ ନିଶାନାଥେ ବୈଶାଖେ ମାସି କାଶ୍ୟପ।। (ନୀଳମତ ପୁରାଣ, ବୈଶାଖ ଶୁକ୍ଳ ପୁଷ୍ୟଯୋଗେ ବୁଦ୍ଧ ଜନ୍ମମହୋତ୍ସବ, ଶ୍ଳୋକ ୮୦୯-୮୧୦)]
ରାଜତରଙ୍ଗିଣୀ ତଥ୍ୟ ଅନୁସାରେ ନୀଳମତ ପୁରାଣ ୧୮୯୪ ଆନୋ-ଲୌକିକ ବର୍ଷରେ ଲେଖା ଯାଇଥିଲା। ସେହି ସମୟ ସାରଣୀ କାଶ୍ମୀର ପାଳୁଥିବା ନିଜସ୍ୱ କେଲେଣ୍ଡର ଅଟେ। ଏହା ସପ୍ତର୍ଷି କେଲେଣ୍ଡରର ତ୍ରିଦିବ (ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ସପ୍ତର୍ଷିଙ୍କ ଅବସ୍ଥାନ) ସମୟରେ କଳିଯୁଗର ୨୫ ବର୍ଷ ପରେ ଆରମ୍ଭ ହୋଇଥିଲା। ମହାଭାରତ ଅନୁସାରେ କଳିଯୁଗ ଖ୍ରୀଷ୍ଟପୂର୍ବ ୩୧୭୭-୩୧୭୬ ରେ ମଘା ନକ୍ଷତ୍ରରେ ଆରମ୍ଭ ହୋଇଥିଲା। ତେଣୁ କାଶ୍ମୀର ଲୌକିକ ବର୍ଷର ଆରମ୍ଭ ଖ୍ରୀଷ୍ଟପୂର୍ବ ୩୧୫୧ ମସିହା ଅଟେ। ସେଥିରୁ ୧୮୯୪ ବିୟୋଗ କଲେ ତାହା ଖ୍ରୀଷ୍ଟପୂର୍ବ ୧୨୫୭ ମସିହା ହେବ।
କାଶ୍ମୀର ରାଜବଂଶାବଳୀ ରାଜତରଙ୍ଗିଣୀର ଲେଖକ କାଲ୍ହନ ପଣ୍ଡିତ (~ ୧୦୫୦ ଶକାବ୍ଦ) ୪ର୍ଥ ଶତାବ୍ଦୀର କାଶ୍ମୀର କବି କ୍ଷେମେନ୍ଦ୍ର ଙ୍କ ଦଶ ଅବତାର ଚରିତ ଓ ବ୍ରାହ୍ମଣ ଚନ୍ଦ୍ରଦେବଙ୍କ ଦ୍ୱାରା ଲିଖିତ ନୀଳମତ ପୁରାଣ ବିଷୟ ଉଲ୍ଲେଖ କରୁଛନ୍ତି।
ତକ୍ଷଶିଳା ଠାରେ ଆଦି ଶଙ୍କରଙ୍କ ପରମଗୁରୁ ଗୌଡପାଦ (ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀ)ଙ୍କ ଦ୍ୱାରା ବୁଦ୍ଧଙ୍କ ଅନୁସରଣକାରୀ ଗ୍ରୀକ ଦାର୍ଶନିକ ଅପୋଲୋନିୟସ ଓ ତାଙ୍କ ଶିଷ୍ୟ ଦମିସ ଙ୍କୁ ତର୍କ-ଶାସ୍ତ୍ର ଦ୍ୱାରା ପରାଜିତ କରିଥିଲେ। (୩)
ତିବ୍ବତୀୟ ଲାମା ତାରାନାଥ ତାଙ୍କ ବହିରେ ଲେଖୁଛନ୍ତି ଯେ, କୁମାରିଲ ଭଟ୍ଟ ଓଡିୱିସା (ଓଡିଶା)ର ବୌଦ୍ଧ ମାନଙ୍କ ବିଚାରକୁ ପରାଜିତ କରିଥିଲେ। ତାଙ୍କ ଭାତୃର୍ପୁତ୍ର ଧର୍ମକୀର୍ତ୍ତି ଜଣେ ବୌଦ୍ଧ ବିଦ୍ୱାନ ଥିଲେ। ତାଙ୍କ ସମୟରେ ଆଦି ଶଙ୍କରଚାର୍ଯ୍ୟ ବୌଦ୍ଧମାନଙ୍କୁ ତର୍କରେ ପରାଜିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁମାରିଲ ଭଟ୍ଟ ଶଙ୍କରଚାର୍ଯ୍ୟ ଙ୍କ ଗୁରୁ ଗୋବିନ୍ଦପାଦଙ୍କ ସମବୟସ୍କ ଥିଲେ।
ତାରାନାଥ ଆଗକୁ ଲେଖୁଛନ୍ତି ଯେ – ଅନ୍ତେବାସୀ ମାନଙ୍କ ମଧ୍ୟରେ ତଥା ସର୍ବସାଧାରଣରେ ଅନେକ ତର୍କ ସଭାର ଆୟୋଜନ ହୋଇଥିଲା। ସେଠାରେ କୁଳିସଶ୍ରେଷ୍ଠ ନାମରେ ଉଚ୍ଚଶ୍ରେଣୀର ତର୍କଶାସ୍ତ୍ର ଓ ବ୍ୟାକରଣ-ପ୍ରବୀଣର ଅହଙ୍କାର-ଗ୍ରସ୍ତ ଅନ୍ତେବାସୀ ବ୍ରାହ୍ମଣ ତତ୍କାଳୀନ ସ୍ୱୀକୃତ ସିଦ୍ଧାନ୍ତକୁ ନେଇ ସଗର୍ବେ ବିଚାର-ଶୂନ୍ୟ ମସ୍ତିଷ୍କରେ ଶଙ୍କରଚାର୍ଯ୍ୟଙ୍କ ସହ ତର୍କ ପାଇଁ ସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ। କିନ୍ତୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ଭଟ୍ଟ ଆଚାର୍ଯ୍ୟ ଙ୍କ ସମେତ ତୀର୍ଥିକା (ବ୍ରାହ୍ମଣ ଦାର୍ଶନିକ) ମାନଙ୍କ ଦ୍ୱାରା ସେ ପରାଜିତ ହୋଇଥିଲେ।
ଏହା ଫଳରେ ବୌଦ୍ଧ ମାନଙ୍କ ୨୫ ଗୋଟି କେନ୍ଦ୍ରର ସମସ୍ତ ସୈଦ୍ଧାନ୍ତିକ ସାମଗ୍ରୀ ତୀର୍ଥିକା ମାନଙ୍କ ହସ୍ତଗତ ହୋଇଥିଲା ଓ ବିହାରମାନ ଉପାସକ-ଶୂନ୍ୟ ହୋଇ ତୀର୍ଥିକା ପରିପୂର୍ଣ୍ଣ ହୋଇଥିଲା। ଅନ୍ତେବାସୀ ମାନଙ୍କର ଅନେକ ଉପାସନା ପୀଠ ଓ ସୈଦ୍ଧାନ୍ତିକ କେନ୍ଦ୍ର ମାନଙ୍କରୁ ସହସ୍ର ସଂଖ୍ୟାରେ ବୌଦ୍ଧ-ବିହାରବାସିନ୍ଦା ମାନଙ୍କୁ ପରିବର୍ଦ୍ଧିତ କରି ପାରିଥିଲେ।
ଗୌତମ ନଗର ଜିଲ୍ଲା, ଉତ୍ତର ପ୍ରଦେଶର ପିପ୍ରହ୍ୱା (୧୮୯୮ ଖ୍ରୀଷ୍ଟାବ୍ଦ) ଠାରେ ପ୍ରତ୍ନତତ୍ତ୍ୱ ବିଭାଗ ପାଇଥିବା ମୃତ୍ତିକାପଟ୍ଟକ ରେ ବ୍ରାହ୍ମୀଲିପିରେ ଖୋଦିତ ଅକ୍ଷର ଓମ ଦେବପୁତ୍ର ବିହାରେ କପିଳବାସ୍ତୁ ଭିକ୍ଷୁ ମହାସଙ୍ଘସ ଓ ଓମ ଦେବପୁତ୍ର ବିହାରେ କପିଳବାସ୍ତୁ ଭିକ୍ଷୁ ସଙ୍ଘସ ସମ୍ଭବତଃ ଦେବପୁତ୍ର ବିହାରର ଅନ୍ତେବାସୀ ମାନଙ୍କ ପରିବର୍ଦ୍ଧନ ପରେ ତତ୍କାଳୀନ ସୃଷ୍ଟି ପରିବେଶରେ ଭୟଭୀତ ଅବସ୍ଥାରେ କିଛି ଭିକ୍ଷୁ ଉତ୍ତରପ୍ରଦେଶ ପଳାୟନ କରିଥିବା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାଇ ପାରିଥାନ୍ତି।
ରାଜା ମାନଙ୍କ ଦେବପୁତ୍ର ଉପାଧି ନାଗବଂଶୀ ଶତୃଭଞ୍ଜ ଦେବଙ୍କ ଆସନପଟା ଶିଳାଲେଖ ସହ କନିଷ୍କ ତଥା ଅନ୍ୟ ଶକ ରାଜା ମାନଙ୍କ ଶିଳାଲିପି ମାନଙ୍କରେ ଉଲ୍ଲେଖ ରହିଥିବା ସତ୍ତ୍ୱେ ଦେବପୁତ୍ର ବିହାର (ଈଶ୍ୱରପୁତ୍ର-ନିବାସ) ରାଜା ଶତୃଭଞ୍ଜ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା ସଙ୍କେତ ଦିଏ। ତାର କାରଣ ନାଗବଂଶୀ ମାନଙ୍କ ବୁଦ୍ଧଙ୍କ ସହ ଆରମ୍ଭ ହୋଇଥିବା ଘନିଷ୍ଠତା ଅଟେ। ଯାହା କୁକ୍କୁଟବତୀର ରାଜା କପ୍ଫିଣାଙ୍କ ସମୟରୁ ଆରମ୍ଭ ହୋଇଥିଲା।
ଆସନପଟ, କେଉଁଝରର ପ୍ରାକ୍ତନ ରାଜା କପ୍ଫିଣା ବୁଦ୍ଧଙ୍କ ପ୍ରତ୍ୟକ୍ଷ ଶିଷ୍ୟ ଥିଲେ। ସେ ଉତ୍କଳର ତପୁସ୍ସ ଓ ଭଲ୍ଲିକଙ୍କ ସମେତ ଅନ୍ୟ ବ୍ୟବସାୟୀ ମାନଙ୍କ ନିକଟରୁ ବୁଦ୍ଧଙ୍କ ଜ୍ଞାନପ୍ରାପ୍ତିର ସମ୍ବାଦ ପାଇ କୁକ୍କୁଟବତୀ (ଆସନପଟ) ନଗର ଠାରୁ ଅର୍ୱଚ୍ଚ (ବୈତରଣୀ), ମହାନଦୀ (ନୀଳବାହନ) ଓ ଚନ୍ଦ୍ରଭାଗା ନଦୀ ପାର ହୋଇ ବୁଦ୍ଧଙ୍କ ଠାରୁ ଦୀକ୍ଷା ନେଇଥିଲେ। ତତ୍କାଳୀନ ଉତ୍କଳ (ମହାନଦୀର ଉତ୍ତର ତଟ ଯାଏଁ) ରାଜ୍ୟ ରାଜା କପ୍ପିଣା ଙ୍କ ଅଧୀନରେ ଥିଲା।
ରାଜା କପ୍ଫିଣାଙ୍କ ଅନେକ ବର୍ଷ ପରେ ଖ୍ରୀଷ୍ଟପୂର୍ବ ୯ମ ଶତାବ୍ଦୀରେ ବିନ୍ଧ୍ୟତାବୀର ନାଗବଂଶୀ ଶତୃଭଞ୍ଜଙ୍କ (ଶ୍ରୀ ବେଦବୀର ଆର୍ଯ୍ୟ ଆସନପଟ ଶିଳାଲିପି କୁ ଅଧ୍ୟୟନ କରି ରାଜା ଶତୃଭଞ୍ଜଙ୍କ ସମୟ ୯ମ ଶତାବ୍ଦୀ ରୂପେ ନିର୍ଦ୍ଧାରଣ କରିଛନ୍ତି।) ଦ୍ୱାରା ମହାଭାରତ ପୂର୍ବ କଳିଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଓଡ୍ର ବିଜୟ ପରେ ବିଜୟ-କୀର୍ତ୍ତି ସ୍ୱରୂପ ପ୍ରତିଷ୍ଠିତ ଦେବପୁତ୍ର-ବିହାରର ପ୍ରତିଷ୍ଠା ହୋଇଥିବା ସମ୍ଭାବନା ଅଧିକ। ତାହା ପୁରୁଷପୁରର ଭ୍ରାତୃବନ୍ଧୁ (ଆସଙ୍ଗ ଓ ବସୁବନ୍ଧୁ) ତଥା ସେମାନଙ୍କ ପରବର୍ତ୍ତୀ ବଂଶରେ ଜନ୍ମିତ ବାକ୍ୟପଦୀୟମର ରଚୟିତା ଭର୍ତ୍ତୃହରି ଆଦି ଓଡ୍ରର ମହାଯାନପନ୍ଥୀ ବୁଦ୍ଧ-ଅନୁସରଣକାରୀଙ୍କ ପାଇଁ ନାଗବଂଶୀ ରାଜା ଶତୃଭଞ୍ଜ ଓଡ୍ର ଅଧିଗ୍ରହଣ କରିବାକୁ ସକ୍ଷମ ହୋଇଥିଲେ, ଯାହାର ଉପହାର ଦେବପୁତ୍ର ବିହାର ଥିବା ସମ୍ଭବ।
ତାରାନାଥଙ୍କ ଉଲ୍ଲେଖ ପ୍ରକାରେ ପୁରୀ ଠାରେ ଉପାସିକା ମାନଙ୍କ ସଙ୍କୁଚିତ ଜ୍ଞାନକୁ ପୁନର୍ପରିବର୍ଦ୍ଧିତ କରିବା ନିମନ୍ତେ କୁମାରିଲ ଭଟ୍ଟଙ୍କ ଠାରୁ ଆରମ୍ଭ କରି ଆଦି ଶଙ୍କରାଚାର୍ଯ୍ୟ ଓ ତାଙ୍କ ବ୍ରାହ୍ମଣ ଶିଷ୍ୟ ବ୍ରହ୍ମାପୁତ୍ରୀ-ସରସ୍ୱତୀଙ୍କ ବରପୁତ୍ର, ତର୍କପ୍ରବୀଣ ଭଟ୍ଟ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ପଣ୍ଡିତ ମାନଙ୍କ ଦ୍ୱାରା ଅସଂଖ୍ୟ ବୌଦ୍ଧଭିକ୍ଷୁଙ୍କୁ ଦେବପୁତ୍ର-ବିହାର (କୋଣାର୍କ ସନ୍ନିକଟ ଆଧୁନିକ କୁରୁମ) ଠାରେ ଜ୍ଞାନପୂର୍ଣ୍ଣ ତର୍କରେ ପରାଜିତ ପୂର୍ବକ ସନାତନ ବିଶ୍ୱାସରେ ପୁନଃପରିବର୍ଦ୍ଧିତ କରି ସାଂଖ୍ୟଯୋଗୀ ଗୌତମ ବୁଦ୍ଧଙ୍କୁ ତାଙ୍କ ନିର୍ବାଣର ୧୩୦୦ ବର୍ଷ ପରିଶେଷରେ ଶ୍ରୀ ପୁରୁଷୋତ୍ତମ-ଜଗନ୍ନାଥଙ୍କ ୯ମ ଅବତାର ରୂପେ ପ୍ରତିଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ଭବତଃ ଏହାର ଶେଷ ଅବସ୍ଥା ଥିଲା।
ମାଦଳାପାଞ୍ଜି, ଓଡ୍ରଦେଶ ରାଜବଂଶାବଳୀ, ମହାବଂଶ, ଧମ୍ମପଦ, ଭାଗବତ ପୁରାଣ, ରାଜତରଙ୍ଗିଣୀ, ନୀଳମତ ପୁରାଣ, ସ୍କନ୍ଦ ପୁରାଣ, The Real Birth Place of Buddha, A History of Buddhism in India, The Chronology of India ଆଦି ପୁସ୍ତକରୁ ଏହି ଆଲେଖ୍ୟ ରଚନା କରିବାର ସୁଯୋଗ ମିଳିଅଛି। ସେହି ଲେଖକ ମାନଙ୍କୁ ଧନ୍ୟବାଦ।
ସଂସ୍କୃତ ଭାଷାରେ ବୁଦ୍ଧଙ୍କ ଜୀବନ ଚରିତ କାବ୍ୟାକାରରେ ଲେଖିଥିବା ଅଶ୍ୱଘୋଷ, ନୀଳମତ ପୁରାଣ ସଦୃଶ୍ୟ ତାଙ୍କ ଜନ୍ମ ସମୟ ପୁଷ୍ୟ ନକ୍ଷତ୍ରରେ ହୋଇଥିବା ଦର୍ଶାଇଛନ୍ତି। ମାଦଳାପାଞ୍ଜି, ମହାବଂଶ ଓ ସ୍କନ୍ଦ ପୁରାଣର କାଳ ଗଣନା ସ୍ଥୁଳ ରୂପରେ ଯଦିଓ ସଠିକ ଅଟେ, ତଥାପି ନକ୍ଷତ୍ରୀୟ ଗଣନା ଓ ଅନେକ ପାରିପାର୍ଶ୍ୱିକ ଅବସ୍ଥାର ସୂଚନା ନେଇ ଶ୍ରୀ ବେଦବୀର ଆର୍ଯ୍ୟଙ୍କ ସୂକ୍ଷ୍ମ ଅନୁସନ୍ଧାନମୂଳକ ଗବେଷଣାରେ ସେ ବୁଦ୍ଧଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୧୯୪୪, ବୈଶାଖ ଶୁକ୍ଳ ସପ୍ତମୀ ଓ ନିର୍ବାଣ ସମୟ ଖ୍ରୀଷ୍ଟପୂର୍ବ ୧୮୬୪, ବୈଶାଖ ପୂର୍ଣ୍ଣମୀ ସ୍ଥିର କରିଛନ୍ତି। ଆଜି ସେହି ଜନ୍ମତିଥିର ୩୯୬୫ ତମ ସମ୍ବତ୍ସର ଅଟେ। ପୁରୁଷୋତ୍ତମ ଜଗନ୍ନାଥଙ୍କ ନବମ ଦିବ୍ୟ ଅବତାରଙ୍କୁ ପ୍ରଣାମ।
ବର୍ତ୍ତମାନ ଓଡିଶାର ଗବେଷକ ମାନଙ୍କୁ ବୁଦ୍ଧଙ୍କ ସମ୍ବନ୍ଧୀୟ ଓଡ୍ର-ତୋଷଳ-କପିଳବାସ୍ତୁର ମୂଳପିଣ୍ଡିକୁ ବାହାର କରିବାକୁ ବର୍ତ୍ତମାନ ସହଜ ହେବ।
ଜୟ ଜଗନ୍ନାଥ।
.
ଟିପ୍ପଣୀ:
(୧)ଆମ ଜନଜାତି ଇ ପତ୍ରିକାରେ ପ୍ରକାଶିତ ଆଲେଖ୍ୟ “ଜନଜାତି ଓ ପୁରୁଷୋତ୍ତମ ବିଗ୍ରହ ସେବା” ଦ୍ରଷ୍ଟବ୍ୟ।
(୨) ଭାଷ୍ୟାନ୍ତର – ତାପସ ରଞ୍ଜନ ଦାସ, ସମ୍ପାଦକ, ଶୁଭପଲ୍ଲବ-ଇ-ପତ୍ରିକା
(୩) TMP Mahadevan ଙ୍କ ପୁସ୍ତକ ‘Gaudapada’ ଓ ଲାମା ତାରାନାଥଙ୍କ ପୁସ୍ତକ A History of Buddhism in India
Comments
Post a Comment