ସ୍ନାନ ପୂର୍ଣ୍ଣିମା
ମହାପ୍ରଭୁ
ଶ୍ରୀଜଗନ୍ନାଥ ସୃଷ୍ଟି, ସ୍ଥିତି ଲୟ ସବୁଠାରୁ ଉର୍ଦ୍ଧ୍ୱରେ ଅଟନ୍ତି। ପୌରାଣିକ ଉପାଖ୍ୟାନ ଅନୁସାରେ ପ୍ରଳୟ ଉପରାନ୍ତ ସୃଷ୍ଟିର ଆରମ୍ଭ ସମୟରେ ବଟପତ୍ରରେ ଶାୟିତ ଶିଶୁ
ରୂପେ ମାର୍କେଣ୍ଡୟ ଋଷିଙ୍କ ପୁରୁଷୋତ୍ତମଙ୍କ ଦର୍ଶନ କରିବା ସୃଷ୍ଟି, ସ୍ଥିତି ଓ ଲୟ ତତ୍ତ୍ୱର ଅନ୍ତର୍ଦର୍ଶନରେ କରା ଯାଇଛି। ନବମ ଶତାବ୍ଦୀର ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ଅନ୍ତର୍ଦୃଷ୍ଟିରେ ପ୍ରତିଫଳିତ ୨୨ ପାହାଚେ ମୀନ
ଖେଳିବ ପଦ ସମୁଦ୍ର ଜଳ ରତ୍ନବେଦୀ ବା ମହାବେଦୀ ଛୁଇଁବା ସମୟର ଭବିଷ୍ୟବାଣୀ ଥିଲା। ଜଳାର୍ଣ୍ଣବେ ପୃଥିବୀର ଶେଷାବସ୍ଥା ତଥା ସୃଷ୍ଟି ଠାରେ ହିଁ ପୃଥିବୀର ପ୍ରଳୟକାଳୀନ ବିଲୟ ସମୟର
ଚିତ୍ର ପରିକଳ୍ପନା ସେ କରିଥିଲେ। ଏହା ସମୁଦ୍ରରେ ଜଳ ସ୍ତର ବଢିବା ସନ୍ଦର୍ଭରେ
ତାଙ୍କ ଅନ୍ତର୍ମନରେ ସ୍ଫୁରିତ ହୋଇଥିଲା।ସମ୍ଭବତଃ ଧବଳଗିରି ଓରଫ ନୀଳଶୈଳର ମହାବେଦୀ ଯେ ସ୍ୱୟଂ ଶାଳଗ୍ରାମ
ଅଟନ୍ତି, ସନ୍ଥ ଅଚ୍ୟୁତାନନ୍ଦ ଅନ୍ତର୍ଦୃଷ୍ଟିରେ ଦେଖି ସୃଷ୍ଟି, ସ୍ଥିତି ଓ ଲୟ ତତ୍ତ୍ୱ ସନ୍ଦର୍ଭରେ ୨୨ ପାହାଚେ ମୀନ ଖେଳିବର ପରିକଳ୍ପନା
କରିଥିଲେ। ୭୫ ସହସ୍ର ବର୍ଷ ତଳେ ସୁମାତ୍ରା (ଇଣ୍ଡୋନେସିଆ) ର ବିଶାଳ ଆଗ୍ନେୟଗିରି
ର ଲେଲିହାନ ବହ୍ନିରେ ଭାରତବର୍ଷର ଦକ୍ଷିଣ ପୂର୍ବରେ ଅବସ୍ଥିତ ଇଣ୍ଡୋନେସିଆ ର ଜନଜୀବନ, ବୃକ୍ଷଲତା ଓ ପଶୁପକ୍ଷୀଙ୍କ ସମୂଳେ ଧ୍ୱଂସ ପାଇବାର ବିକଟାଳ ଦୃଶ୍ୟ
ତଥା ସେଥିରୁ ବିଛାଡି ହୋଇ ସମ୍ପୂର୍ଣ୍ଣ ଭାରତବର୍ଷରେ ଆଣ୍ଠୁଏ ବହଳର ଭସ୍ମ ପଡିଥିବା ଦୃଶ୍ୟର ଏକମାତ୍ର
ନିଷ୍ଠୁର ସାକ୍ଷୀ ସ୍ୱରୂପ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପରେ ସବୁଠାରୁ ପ୍ରାଚୀନତମ ଜୀବନ୍ତ ଶାଳଗ୍ରାମଙ୍କ
ଅବସ୍ଥାନ ରହିଥିବା ଧବଳଗିରି ଥିଲେ। ଏହାକୁ ବ୍ରହ୍ମପୁରାଣରେ ଶ୍ରୀମନ୍ଦିର ରୋହିଣୀକୁଣ୍ଡ ଠାରେ ସୃଷ୍ଟି ଆରମ୍ଭ ସମୟରେ ଜଳସ୍ତର କମିବା
ଓ ସୃଷ୍ଟି ବିଲୟ ବେଳେ ଜଳସ୍ତର ବଢିବା ରୂପେ ବର୍ଣ୍ଣନା କରାଯାଇଛି। ଭିନ୍ନ ଭିନ୍ନ ସମୟରେ ତାଙ୍କ ବିଭିନ୍ନ ପ୍ରତିରୂପ ନିର୍ଗୁଣ, ନିରାକାର ସ୍ୱରୂପର ଉପାସନା ପଦ୍ଧତ୍ତିର ପ୍ରଚଳନ ପୂର୍ବ-ମହୋଦଧୀ ତଟରେ ସର୍ବ ପ୍ରଥମେ ଆରମ୍ଭ
ହୋଇଥିବା ପଶ୍ଚାତଦେଶରେ ସମୟ ଅନୁସାରେ ଜଳରୁ ଭୂମିର ସୃଷ୍ଟି ସମ୍ବନ୍ଧିତ ବ୍ୟାଖ୍ୟାର ଫେରନ୍ତା ତତ୍ତ୍ୱ
(ଭୂମି ପୁନର୍ବାର ଜଳରେ ପୂର୍ଣ୍ଣ) ଅଟେ।
ଅଖଣ୍ଡ ଭାରତବର୍ଷର ଋଷି ପରମ୍ପରା ଅନୁଯାୟୀ ପୂର୍ବ ଭାଗ ମହାବେଦୀଙ୍କ ନିମନ୍ତେ ଦେବପ୍ରସ୍ଥ ରୂପେ ନାମିତ। ଦେବପ୍ରସ୍ଥ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ସ୍ପଷ୍ଟତା ଶକ୍ତି ସଙ୍ଗମ ତନ୍ତ୍ର, ସୁନ୍ଦରୀ ଖଣ୍ଡ, ୮/୧୬ ରେ (ଶ୍ରୀରଙ୍ଗୋ ଦକ୍ଷିଣେ ପ୍ରୋକ୍ତୋ ଗାୟତ୍ରୀ ପସ୍ଚିମେ ଭବେତ୍। ପୂର୍ବେଚୈବ ଜଗନ୍ନାଥସ୍ତୁତ୍ତରେଅମରକଣ୍ଟକମ୍।। - ଦକ୍ଷିଣରେ ଶ୍ରୀରଙ୍ଗ, ପଶ୍ଚିମରେ ଗାୟତ୍ରୀ, ପୂର୍ବ ଭାଗରେ ଜଗନ୍ନାଥ, ଉତ୍ତରରେ ଅମରକଣ୍ଟକ; ସୌ: ଓଡ୍ରଦେଶର ଇତିହାସ) କରୁଛନ୍ତି। ଦେବପ୍ରସ୍ଥରେ ବ୍ରହ୍ମବନ ରହିଛି। ବ୍ରହ୍ମବନ ଧବଳଗିରି (ନୀଳଶୈଳର ପ୍ରାଚୀନ ନାମ) ରେ ସ୍ଥିତ ବିଶ୍ୱର ସର୍ବପ୍ରାଚୀନ ତଥା ବୃହତ୍ତମ ଶାଳଗ୍ରାମ (ମହାଭାରତର ବନପର୍ବରେ ବର୍ଣ୍ଣିତ ମହାବେଦୀ) ତା’ର କାରଣ ଅଟନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନ ନିମନ୍ତେ ଗଣ୍ଡୁକୀ ନଦୀର ଶିଳା ଶାଳଗ୍ରାମ ରୂପେ ବ୍ୟବହୃତ ହେବା ନିକଟ ଅତୀତର ଜନଶୃତି ଅଟେ।
ସେହି ମହାବେଦୀରେ ବିରାଜିତ ଅଯୋନିସମ୍ଭୂତା-ଚତୁର୍ଦ୍ଧାମୂର୍ତ୍ତି-ବ୍ରହ୍ମଙ୍କୁ ସମୟର ଚଳନ ଅନୁସାରେ ଚିହ୍ନଟ କରିବାକୁ ସୁଦୂର ଅତୀତରୁ ତାଙ୍କ ସଗୁଣ ଉପାସନା ପଦ୍ଧତି ଆରମ୍ଭ କରିଥିବା ପାତ୍ର ଯଥା, ଇନ୍ଦ୍ରଦ୍ୟୁମ୍ନ, ଗାଲମାଧବ, ବିଶ୍ୱାବସୁ, ବିଦ୍ୟାପତି ଓ ସମୁଦ୍ର ତଟରେ ଭାସି ଆସି ଲାଗିଥିବା ତାଙ୍କ ଦାରୁ-ବିଗ୍ରହଙ୍କ ଉପାସନାର କିମ୍ବଦନ୍ତୀ ମିଳେ ଯାହା ୩ ଟି କାଳକ୍ରମରେ ଘଟିତ ହୋଇ ପରବର୍ତ୍ତୀ ସମୟରେ ଏକକାଳୀନ ପ୍ରକାଶିତ ହୋଇଥିବା ଅନୁମିତ ହୁଏ। ଶ୍ରୀମନ୍ଦିର ରୀତିନୀତିକୁ ପରିଚାଳିତ କରୁଥିବା ୪ଟି ଗ୍ରନ୍ଥ ମାନଙ୍କ ମଧ୍ୟରୁ ନୀଳାଦ୍ରି (ପଣ୍ଡା) ମହୋଦୟ କହନ୍ତି – ବ୍ରହ୍ମାଙ୍କର ପଞ୍ଚମ ବଂଶରେ ଜନ୍ମିତ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିରରେ ବିଗ୍ରହଙ୍କ ପ୍ରତିଷ୍ଠା ନିମନ୍ତେ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକକୁ ଯାଇ ଫେରି ପାରି ନାହାଁନ୍ତି। ପରେ ସେ ଫେରିଲା ପରେ ଆଉ ଜଣେ ରାଜା ରାଜତ୍ୱ କରୁଥିବା ଉପାଖ୍ୟାନ ଦ୍ୱାରା ସମୟର ନିରନ୍ତର ସ୍ରୋତକୁ ଗୋଟିଏ ସମୟରେ ବାନ୍ଧି ଦିଆ ଯାଇଛି। ଶ୍ରୀମନ୍ଦିରରେ ଶ୍ରୀପୁରୁଷୋତ୍ତମଙ୍କ ପୂଜନ ଆରମ୍ଭ ସମ୍ବନ୍ଧରେ ପୂର୍ବରୁ ରହିଥିବା ଶୃତି ଓ ସ୍ମୃତି ଉପରେ ପର୍ଯ୍ୟବେଶିତ କିମ୍ବଦନ୍ତୀର ବିଶ୍ଲେଷଣ ଆବଶ୍ୟକ ଅଟେ। ମହାପ୍ରଭୁଙ୍କୁ କେନ୍ଦ୍ର କରି ପ୍ରାଚୀନ ସମୟରୁ ଶ୍ରୁତିରେ ରହି ଆସିଥିବା କିମ୍ବଦନ୍ତୀକୁ ସମାଜର ସମ୍ପ୍ରସାରିତ ପରିଧି ଅନୁସାରେ ବିଦ୍ୱାନ ମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରା ଯାଇଥିବା ବେଳେ ଏହାର ଆରମ୍ଭ ପ୍ରାଚୀନ ଧବଳଗିରିର ଜନଜାତି ମାନଙ୍କ ଜୀବନ ସହ ରହିଥିବା ନୀଳମାଧବଙ୍କ ସମ୍ବନ୍ଧିତ କିମ୍ବଦନ୍ତୀ ମଧ୍ୟଦେଶୀୟ (ମାଳବ) ନୃପତିଙ୍କ ଦ୍ୱାରା ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ହୃତ୍ପିଣ୍ଡ ଉପାସନାକୁ ପ୍ରସ୍ତର ରୂପୀ ନାରାୟଣ-ଉପାସନାରେ ପରିବର୍ଦ୍ଧିତ କରି ଲୋକାର୍ପଣ କରିବା ଅଟେ।
ଈଶ୍ୱରଙ୍କ
ସଗୁଣ ବିଗ୍ରହ ରୂପୀ ଅବତାର ଉପାସନା ନିର୍ଗୁଣ ବ୍ରହ୍ମଙ୍କୁ ହୃଦୟଙ୍ଗମ କରିବା ପ୍ରାରମ୍ଭିକ ପ୍ରକ୍ରିୟାର
ଏକ ଅଂଶ ଅଟେ। ଅବତାରବାଦ ବିଶ୍ୱାସ ପ୍ରକ୍ରିୟାରେ ମୈତ୍ରାୟଣୀ ଉପନିଷଦରେ ଋଗବେଦକାଳୀନ
ଦେବକୀପୁତ୍ର ବାସୁଦେବ କୃଷ୍ଣ ଓ ନରସିଂହ ରୂପ ଧାରିତ ହିରଣ୍ୟକଶିପୁକୁଙ୍କୁ ବଦ୍ଧ କରିଥିବା ଋଷି ବାମଦେବଙ୍କୁ
ବିଷ୍ଣୁଙ୍କ ଅବତାର ରୂପେ ଉପାସନା କରାଯିବା ଆରମ୍ଭ ହୋଇଥିଲା। ଈଶ୍ୱରଙ୍କ ଲୀଳା ସ୍ୱରୂପ ଋଗବେଦକାଳୀନ ବଳରାମ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା
ଥିଲେ ଏବଂ ତା’ର ୮୦୦୦ ବର୍ଷ ଉପରାନ୍ତ ମହାଭାରତ କାଳୀନ ବସୁଦେବ ଓ ରୋହିଣୀଙ୍କ ଗର୍ଭରୁ ଜାତ ବଳରାମ
ବସୁଦେବ ତଥା ଦେବକୀଙ୍କ ଗର୍ଭରୁ ଜାତ ଶ୍ରୀକୃଷ୍ଣଙ୍କ ବୈମାତୃକ ଭ୍ରାତା ଥିଲେ। ବେଦର ସଙ୍କଳନ ୧୫୦୦୦ ରୁ ୧୩୦୦୦ ବର୍ଷ ମଧ୍ୟରେ ହୋଇଥିବା ଦାବୀ କରୁଥିବା The Chronology of India ର ଲେଖକ ବେଦବୀର ଆର୍ଯ୍ୟ ମତ ଦିଅନ୍ତି, ମହାଭାରତ ଶ୍ରୀକୃଷ୍ଣ (୩୨୨୩ - ୩୧୨୬ ଖ୍ରୀ.ପୂ) ଙ୍କ ଅନେକ ପୂର୍ବରୁ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ (ଆବିର୍ଭାବ
- ଖ୍ରୀ.ପୂ ୧୧୧୫୩, ମେ ୨୫, ଶ୍ରାବଣ କୃଷ୍ଣାଷ୍ଟମୀ) ଙ୍କ ଉପାସନା
ଆରମ୍ଭ ହୋଇଥିଲା।
ଭାରତୀୟ
ସଂସ୍କୃତି ପୃଷ୍ଠଭୂମିରେ ପୁରାଣ ମାନଙ୍କରେ ବର୍ଣ୍ଣିତ ସପ୍ତର୍ଷି ମଣ୍ଡଳରେ ସନାତନ ଧର୍ମର ଗୌରବ ବଢାଉଥିବା
ଋଷି ଅତ୍ରି ଆର୍ଯ୍ୟାବର୍ତ୍ତର ପ୍ରଥମ ଋଷି ବ୍ରହ୍ମାଙ୍କ ଶିଷ୍ୟ ତଥା ପୁତ୍ର ସ୍ୱାୟଂଭୂବ ମନୁଙ୍କ ସମାସ୍କନ୍ଧ
ଥିଲେ। ସୋମବଂଶୀଙ୍କ ଇତିହାସ ବ୍ରହ୍ମାଙ୍କ ଶିଷ୍ୟ ଋଷି ଅତ୍ରିଙ୍କ ଋଷି-ବଂଶଜ (ଋଷିଙ୍କ ଗୋତ୍ରରେ ଦୀକ୍ଷିତ ଶିଷ୍ୟ) ପରବର୍ତ୍ତୀ ସମୟର ଅତ୍ରି
ଓ ଅନସୂୟାଙ୍କ ପୁତ୍ର ସୋମ ଙ୍କ ଠାରୁ କ୍ଷତ୍ରିୟ-ସୋମବଂଶ ଆରମ୍ଭ ହୋଇଥିଲା। ଋଗବେଦ ସମୟର ଦେବକୀପୁତ୍ର ବାସୁଦେବ କୃଷ୍ଣ ଯଦୁବଂଶୀ ଥିଲେ। ଯଦୁମାନେ ସୋମବଂଶୀ ଥିଲେ। ଶାରଳା ମହାଭାରତ ଅନୁଯାୟୀ ଅଗରୁ ବୃକ୍ଷରେ
ପରିପୂର୍ଣ୍ନ ଧବଳଗିରିରେ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡର ଉପାସନା କରୁଥିବା
ବନବାସୀ ମାନଙ୍କ ଉପାସନା ସ୍ଥଳରେ ନୀଳମାଧବଙ୍କ ବିଗ୍ରହ ପ୍ରତିଷ୍ଠା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନ
ସୋମବଂଶୀ ଥିଲେ। ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ସୋମବଂଶୀ ମାନେ ଶ୍ରୀ ପୁରୁଷୋତ୍ତମ
ଜଗନ୍ନାଥଙ୍କ ପ୍ରଧାନ ସେବକ ରହି ଆସିଥିବା ସୂଚନା ମିଳେ। ଇନ୍ଦ୍ରଦ୍ୟୁମ୍ନଙ୍କ ନାମ ମହାଭାରତ ପୂର୍ବରୁ ସର୍ବ ପ୍ରଥମେ ଋଗ୍ବେଦ ସମୟରେ ଦେଖିବାକୁ ମିଳେ। ସେ ମୈତ୍ରିୟାଣୀ ଉପନିଷଦରେ ବର୍ଣ୍ଣିତ ହୋଇଛନ୍ତି।
କଳିଙ୍ଗରେ
ପୁଲସ୍ତ୍ୟ ବଂଶୀ ରାକ୍ଷସ ବା ଅସୁର ବଂଶର ରାଜୁତି ଚାଲିଥିବା ସମୟରେ ମଧ୍ୟଦେଶର ଋଗବେଦ ସମୟର ଈକ୍ଷ୍ୟାକୁବଂଶୀ
ମାନ୍ଧାତା ଯୌବନାଶ୍ଚଙ୍କ ମହୋଦଧୀ ନିକଟସ୍ଥ ମଧୁପୁରରେ ଲବଣାସୁର ସହ ଯୁଦ୍ଧରେ ପରାଜିତ ହୋଇ ଫେରି
ଯାଇଥିଲେ। କାରଣ ଲବଣାସୁରଙ୍କ ପୂର୍ବଜ ମାନେ ମହାଦେବଙ୍କ ଠାରୁ ଯୁଦ୍ଧବିଦ୍ୟାର
ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ନିକଟରେ ମହାଦେବଙ୍କ ପ୍ରଦତ୍ତ ତ୍ରିଶୂଳ
ଚାଳନା ବିଦ୍ୟା ନିହିତ ଥିଲା। ମାନ୍ଧାତାଙ୍କ ଯୁଦ୍ଧ ଘଟଣା ପୌରାଣିକ ଉପାଖ୍ୟାନ
ଅଟେ। ଋଗବେଦର ଗୋଟିଏ ସୁକ୍ତ (୧୦।୧୩୪) ଲେଖିଥିବା ଦେବକୀପୁତ୍ର କୃଷ୍ଣଙ୍କ ର ବୟସାଧିକ ସମସାମୟିକ
ଜୈମିନୀୟ ଅଶ୍ୱମେଧ ଗ୍ରନ୍ଥର ରାଜା ମାନ୍ଧାତାଙ୍କୁ ଟୀକାକାର ସାୟାନ୍ନ ରାଜର୍ଷି ରୂପେ ଉଲ୍ଲେଖ କରିଛନ୍ତି। ପ୍ରାଗ୍ଜ୍ୟୋତିଷପୁରର ନାରକାସୁରଙ୍କୁ ବଦ୍ଧ କରି ଷୋହଳ ସହସ୍ର ନାରୀଙ୍କ ମୁକ୍ତି ପ୍ରଦାତା ଭାରତର
ଉତ୍ତରପୂର୍ବ ମଥୁରାରୁ ଯାଇ ଦ୍ୱାରାବତୀ ନଗରରେ ରାଜଧାନୀ ସ୍ଥାପିତ କରିଥିବା ଦେବକୀପୁତ୍ର ବାସୁଦେବ
କୃଷ୍ଣ ରାଜା ମାନ୍ଧାତାଙ୍କ ପରାଜୟ ସମ୍ବାଦ ଶୁଣି ଲବଣାସୁରକୁ ବଦ୍ଧ କରିବା ଉଦ୍ଦେଶ୍ୟରେ ମଧୁପୁରରେ
ପହଞ୍ଚି ତମାଳ ଲତା ଗହଳରେ ବିଶ୍ରାମ ନେବା ସମୟରେ ଧବଳଗିରିର ବ୍ୟାଧ ଜରା ଶବର ତାଙ୍କ ପଦଯୁଗଳକୁ ମୃଗକର୍ଣ୍ଣ
ବୋଧରେ ବିଷ ଲେପିତ ଶର ନିକ୍ଷେପ କରିଥିଲେ ଯାହା ଫଳ ସ୍ୱରୂପ ତାଙ୍କ ଦେହାବସାନ ହୋଇଥିଲା। ଜଣେ ମହାପୁରୁଷ ତାଙ୍କ ବାଣରେ ନିହତ ହୋଇଥିବା ଜାଣିଲା ପରେ ଜରା ଶବର ତତ୍କ୍ଷଣାତ୍ ତାଙ୍କ
ପାଖରେ ପହଞ୍ଚି ଥିଲେ। ଦେବକୀପୁତ୍ର ବାସୁଦେବ କୃଷ୍ଣ ତାଙ୍କ ଶେଷ
ସମୟ ହୋଇ ଯାଇଛି ତଥା ଏହି ସମ୍ବାଦ ତାଙ୍କ ବନ୍ଧୁ ଫାଲଗୁନୀ ଅର୍ଜୁନଙ୍କୁ ଦେବାକୁ ଅନୁରୋଧ କରିଥିଲେ। ଅର୍ଜୁନଙ୍କ ସହାୟତାରେ ସେଠାରେ ତାଙ୍କ ଶରୀରକୁ ଚନ୍ଦନ ଓ ଅଗରୁ ବୃକ୍ଷର କାଠରେ ସେମାନେ ଦଗ୍ଧ
କରିଥିଲେ। କିନ୍ତୁ କୃଷ୍ଣଙ୍କ ହୃତ୍ପିଣ୍ଡ ସମ୍ପୂର୍ଣ୍ଣ ରୂପେ ଭସ୍ମୀଭୂତ
ହୋଇ ନ ଥିଲା। ସେହି ଅର୍ଦ୍ଧଦଗ୍ଧ ହୃତପିଣ୍ଡକୁ ନିରାଶ ପୂର୍ବକ ସମୁଦ୍ର ଗର୍ଭରେ
ସମର୍ପଣ କରି ଅର୍ଜୁନ ହସ୍ତିନାପୁର ଓ ଜରା ଶବର ଧବଳଗିରି ଫେରି ଯାଇଥିଲେ। ଏହି ପ୍ରସଙ୍ଗର ଉଲ୍ଲେଖ ଶୁଦ୍ରମୁନି ସାରଳା ଦାସ ଙ୍କ ଓଡିଆ ମହାଭାରତ ୧୦୧। ୭୩ ପୃଷ୍ଠା, ମୂଷଳୀ ପର୍ବ ଓ ୧୭୩। ୧୮୬ ପୃଷ୍ଠା, ବନ ପର୍ବ ରେ ରହିଛି। ହସ୍ତିନାପୁର ର ଋଗବେଦ କାଳୀନ କୁରୁବଂଶୀ ଫାଲଗୁନ ଅର୍ଜୁନ, ଯାଦବବଂଶୀ ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କର ବନ୍ଧୁ ଥିଲେ। ଦୈବ ନିର୍ଦ୍ଦେଶରେ ଅର୍ଦ୍ଧଦଗ୍ଧ ହୃତପିଣ୍ଡଟି କିଛିଦିନ ପରେ କଠିନ ଆବରଣ ଆକୃତିକାରେ ଉପକୂଳକୁ
ଫେରି ଆସିଥିଲା। ତାକୁ ଈଶ୍ୱରୀୟ ଅଭିଳାଷ ରୂପେ ଗ୍ରହଣ କରି ଜରା ଶବର ହୃତପିଣ୍ଡକୁ
ଧବଳଗିରି ନେଇ ସେଠାରେ ଥିବା ଶାଳଗ୍ରାମ ପ୍ରସ୍ତର ଉପରେ ରଖି ତାର ଉପାସନା ଆରମ୍ଭ କରିଥିଲେ।
ସାରଳା ମହା
ଭାରତ ଇନ୍ଦ୍ରଦ୍ୟୁମ୍ନ ମାଳବ (ମଧ୍ୟଦେଶ) ରାଜା ଗାଲ ମାଧବ ଓ ରାଣୀ ଗୁଣ୍ଡୁଚେରୀ ଙ୍କ ପୁତ୍ର ଓ ବିଦ୍ୟାପତି
ବ୍ରାହ୍ମଣଙ୍କୁ ବସୁକର ଦ୍ୱିଜ ରୂପେ ଉପସ୍ଥାପନ କରିଛନ୍ତି। ସେହି ବ୍ୟାଖ୍ୟାନରେ ରାଜା ଗାଲମାଧବଙ୍କ ପୁତ୍ର ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀବିଷ୍ଣୁ ତାଙ୍କ ପ୍ରତିରୂପକୁ
ଧବଳଗିରିରେ ଉପାସନା କରା ଯାଉଥିବା ବିଷୟ ସ୍ୱପ୍ନରେ ଦର୍ଶନ ଦେଇ କହିଲା ପରେ ଚତୁର୍ଦ୍ଦିଗକୁ ଚାରି
ବ୍ରାହ୍ମଣ ପଠେଇ ତାଙ୍କ ପ୍ରତିମାଙ୍କୁ ଠାବ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବସୁକର ବ୍ରାହ୍ମଣ ତାଙ୍କର ସନ୍ଧାନ ଧବଳଗିରିରେ ପାଇ ସେହି ସମ୍ବାଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିଲେ। ଯାହା ପ୍ରତୀୟମାନ ହୁଏ, ଋଗବେଦର ଦଶମ ମଣ୍ଡଳ, ୬୫-୬୬ ସୁକ୍ତର ରଚୟିତା ବାସୁକ୍ର ବାସୁକର୍ଣ୍ଣୋ ସାରଳା ମହାଭାରତ (୮ମ ଶତାବ୍ଦୀ), ବନପର୍ବ ପୃ ୧୮୩, ୧୩୨ ଓ ୧୩୪ ପଦରେ ବର୍ଣ୍ଣିତ ବସୁକର ଦ୍ୱିଜ ଅଟନ୍ତି।
ଋଗବେଦ, ଦଶମ ମଣ୍ଡଳ, ୬୫-୬୬ ସୁକ୍ତର ରଚୟିତା ବସୁକ୍ର ବସୁବର୍ଣ୍ଣୋ (ଖ୍ରୀଷ୍ଟପୂର୍ବ ୧୧୦୦୦) ଓ ଶାରଳା ମହାଭାରତର ବସୁକର
ଦ୍ୱିଜ ଏକ ଅଭିନ୍ନ ଥିବା ତାଙ୍କ ରଚିତ ଶ୍ଳୋକରୁ ପ୍ରତୀତ ହୁଏ। ସମୁଦ୍ରରେ ଅରୁଣ ସୂର୍ଯ୍ୟ, ବହି ଯାଉଥିବା ସରସ୍ୱତୀ ନଦୀ ଓ ପରିବେଶ ବାସୁକ୍ର ଙ୍କୁ ମନ୍ତ୍ରମୁଗ୍ଧ
କରିଥିଲା। ସମ୍ମୁଖରେ ସମୁଦ୍ରପତ୍ତନ ଠାରୁ ୭୫୦ ମିଟର ଉଚ୍ଚରେ ଶ୍ବେତରଙ୍ଗରେ
ଆଛାଦିତ ଉଚ୍ଚ ଶୃଙ୍ଗଗିରି; ବାମପାର୍ଶ୍ୱ ପୂର୍ବସମୁଦ୍ର ଦିଗବଳୟରୁ ଅୟର୍ମାଙ୍କ ଅରୁଣିମା ରଙ୍ଗଜନିତ ପବିତ୍ର ସ୍ପର୍ଶରେ ପୁରୁଷୋତ୍ତମଙ୍କ
ଉଦ୍ଦେଶ୍ୟରେ ବାସୁକ୍ର ବାସୁକର୍ଣ୍ଣୋ ଙ୍କ ଓଷ୍ଠରୁ ପ୍ରଥମ ଶ୍ଳୋକ ସ୍ଫୁରିତ ହେଲା:
ଅଗ୍ନିରିନ୍ଦ୍ରୋ
ବରୁଣୋ ମିତ୍ରୋ ଅର୍ୟମା ବାୟୁଃ ପୂଷା ସରସ୍ୱତୀ ସଜୋଷସଃ।
ଆଦିତ୍ୟା
ବିଷ୍ଣୁର୍ମରୁତଃ ସ୍ୱର୍ବୃହତ୍ସୋମ ରୁଦ୍ରୋ ଅଦିତିର୍ବ୍ରହ୍ମଣସ୍ପତିଃ।। (ଋ ବେ ୧୦।୬୫।୧)
ଅଗ୍ନି, ଇନ୍ଦ୍ର (ବିଦ୍ୟୁତ୍), ଜଳ, ଅନ୍ନ, ସୂର୍ଯ୍ୟ, ବାୟୁ, ପୂଷା (ପୋଷକତତ୍ତ୍ବ), ସରସ୍ୱତୀ (ପ୍ରାଚୀନ, ପ୍ରାଚୀ?), ଦ୍ୱାଦଶ ଆଦିତ୍ୟ, ବିଷ୍ଣୁ, ମରୂତମାନେ, ଆଲୋକ-ଜ୍ୟୋତି, ମହାନ ଔଷଧି-ବୃକ୍ଷଗଣ ଙ୍କ ମଧ୍ୟରେ ବିଶ୍ୱ ପାଳନକର୍ତ୍ତା, ବ୍ରାହ୍ମଣ ଅଧିପତି ପରଂବ୍ରହ୍ମ ବିଦ୍ୟମାନ ଅଛନ୍ତି।
ପାବୀରବୀ ତନ୍ୟତୁରେକପାଦଜୋ ଦିବୋ ଧର୍ତ୍ତା ସିନ୍ଧୁରାପଃ ସମୁଦ୍ରିୟଃ।
ବିଶ୍ୱେ ଦେବାସଃ ଶୃଣ୍ୱନ୍ୟଚାଂସି ମେ ସରସ୍ୱତୀ ସହ ଧୀଭିଃ ପୁରନ୍ଧ୍ୟା॥ (ଋ ବେ ୧୦।୬୫।୧୩)
ପବିତ୍ର
ବିଚାରସମ୍ପର୍ଣ୍ଣ ବଜ୍ରାୟୁଧେ ହେ ବିଜୁଳିକନ୍ୟା ଷଠୀବୁଢି (ପ୍ରସୂତୀଦେବୀ) ସରସ୍ୱତୀ! ଅଜନ୍ମା-ଅଚଳ-ଅଜ-ଏକପାଦ, ବିସ୍ତୀର୍ଣ୍ଣ ଆକାଶ ବହନକାରୀ ସିନ୍ଧୁ ଏବଂ ସମୁଦ୍ରର ଜଳ ସହିତ
ସମସ୍ତ ଦେବ! ମୋର ଶବ୍ଦସମୂହ କୁ ଏକତ୍ର କର୍ଣ୍ଣପାତ କର।
ବସୁକର ବ୍ରାହ୍ମଣଙ୍କୁ
ଋଗବେଦୀୟ ବସୁକ୍ର ବସୁବର୍ଣ୍ଣୋ ରପେ ଚିହ୍ନଟ କରିବାର ତର୍କ ଏହା ଦିଆ ଯାଇପାରେ ଯେ
ତାଙ୍କର ସୁକ୍ତ (ଋ ବେ ୧୦।୬୫।୧, ୧୩) ରଚନାର ସମୟ ସକାଳ ଥିଲା ତଥା ସେତେବେଳେ ସେ ସମୁଦ୍ର କୁ ଦେଖୁଥିଲେ। ସରସ୍ୱତୀ ନଦୀ ସହ ଅଜ ଏକପାଦ ଙ୍କୁ ବର୍ଣ୍ଣନା କରୁଚନ୍ତି। ସକାଳେ ଉଦିତ ସୂର୍ଯ୍ୟଙ୍କୁ ସମୁଦ୍ର ଦିଗବଳୟ ରେ ଜଣେ କେବଳ ପୂର୍ବତଟରେ ଦେଖି ପାରିବେ। ଦ୍ୱିତୀୟରେ ସେ ଚିହ୍ନିତ ଇନ୍ଦ୍ରଦ୍ୟୁମ୍ନ ଙ୍କ ସମସାମୟିକ ଥିଲେ। ଉପରୋକ୍ତ ଶ୍ଳୋକରେ ବ୍ୟବହୃତ ଶବ୍ଦ ସଂଯୋଜନା କେବଳ ପୂର୍ବ ତଟରେ ହିଁ ସମ୍ଭବ। ପ୍ରାକ୍ବୈଦିକ ନଦୀ ସରସ୍ୱତୀ ପୂର୍ବର ସାଗରରେ ପଡିବା କଳ୍ପନା ଉର୍ଦ୍ଧ୍ୱ ବିଷୟ ବୋଧ ହୋଇପାରେ। ଓଡିଶାର ପ୍ରାଚୀ ସରସ୍ୱତୀ, ପ୍ରତିଚୀ, ଚିତ୍ରୋପ୍ତଳା, ଚନ୍ଦ୍ରଭାଗାର ସତ୍ୟତା ମଧ୍ୟରେ ପ୍ରାକ ବୈଦିକି ସରସ୍ୱତୀ ଙ୍କ ଧାର
ଭୂଗର୍ଭା ହୋଇ ରହିଛି। ଏହା ଋଗବେଦୀୟ ବସୁକ୍ର ଋଷିଙ୍କ ଶ୍ଳୋକରେ
ନିହିତ ଆର୍ୟମା (ଅରୁଣ ସୂର୍ଯ୍ୟ), ସରସ୍ୱତୀ ଦୁଇଟି ଶବ୍ଦରେ ରହିଛି। ଯେହେତୁ ବେଦ ସରସ୍ୱତୀ ସାଗରରେ ପତିତ ହୋଇଛି ତଥା ଆଫଗାନିସ୍ଥାନରେ ସମୁଦ୍ର ନାହିଁ, ତେଣୁ ପ୍ରୋଫେସର ବି ବି ଲାଲ ଆଫଗାନିସ୍ଥାନର ହେଲମାଣ୍ଡ ନଦୀ ପ୍ରାଚୀନ
ସରସ୍ୱତୀ ନଦୀ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। କଳିଙ୍ଗ ରାଜ୍ୟର ପୂର୍ବ ପାଖେ ଥିବା ମହୋଦଧୀ ସଂଲଗ୍ନିତ ବ୍ରହ୍ମବନରେ ବ୍ରହ୍ମାଙ୍କ ସ୍ତ୍ରୀଙ୍କ
ନାମାନୁସାରିତ ନଦୀ ସରସ୍ୱତୀ ପୂର୍ବ ସମୁଦ୍ର ଦିଗେ ଧାବିତ ହେଉଥିଲା। ପାର୍ଶ୍ୱରେ ଥିବା ଧବଳଗିରିରେ ମହାବେଦୀ ଅବସ୍ଥିତ ଥିଲା। ମହାବେଦୀ ବିଶ୍ୱର ବୃହତ୍ତମ ଶାଳଗ୍ରାମ ଶିଳା ଅଟନ୍ତି। ନୀଳଶୈଳ ର ପ୍ରାଚୀନ ନାମ ଥିଲା ଧବଳଗିରି। ନୀଳଶୈଳର ପ୍ରାଚୀନ ସ୍ୱରୂପ ଆଜି ଭଳି ନ ଥିଲା। ଅଗରୁ ବୃକ୍ଷର ଶ୍ୱେତରଙ୍ଗ ପୁଷ୍ପରେ ଆଛାଦିତ ହୋଇ ଦୂରରୁ ତାହା ଧବଳଗିରି ରୂପେ ପ୍ରତୀତ ହେଉଥିଲା। ସୁଉଚ୍ଚ ହିମଶୃଙ୍ଗଙ୍କ ଗିରି ଗହ୍ୱରରୁ ବାହାରି ଧବଳଗିରି ସମ୍ମୁଖସ୍ଥ ୭୦୦ ମିଟର ତଳର ରତ୍ନଗର୍ଭା
ମହୋଦଧୀ ଅଭିମୁଖୀ ପ୍ରାଚୀନ ସରସ୍ୱତୀ ଙ୍କ ଭୂଗର୍ଭେ ଅଦୃଶ୍ୟ ପୂର୍ବରୁ; ହିମଶୃଙ୍ଗଙ୍କ ପାଦଦେଶରେ ୧୪ ସହସ୍ର ବର୍ଷ ପୂର୍ବର ବିରାଟ ଭୂମିକମ୍ପ
ତଥା ହିମସ୍ଫଳନରୁ ସୃଷ୍ଟି ସତୀସର ହ୍ରଦରୁ ଋଷି କଶ୍ୟପଙ୍କ ବଂଶଜଙ୍କ ଦ୍ୱାରା କାଶ୍ମୀରରେ ବସତି ଉପଯୋଗୀ
ଜନଜୀବନ ନିମନ୍ତେ ବିତସ୍ତା-ଗତିପଥର ସୃଷ୍ଟି ପୂର୍ବରୁ; ରତ୍ନଗର୍ଭା ଠାରୁ ଅନେକ ଉଚ୍ଚରେ ଶ୍ରୀପୁରୁଷୋତ୍ତମଙ୍କ ପୂଜନସ୍ଥଳୀ ଧବଳଗିରିର ଶୃଙ୍ଗ ପ୍ରଦେଶ
ମହାବେଦୀରେ ରହି ଆସିଛି। ଧବଳଗିରି ମହାଭାରତ ଉପରାନ୍ତ ନୀଳଗିରି, ନୀଳଶୈଳ ଅଟେ। ଧବଳଗିରିର ପରିପାର୍ଶ୍ୱ ଅଗରୁ-ବୃକ୍ଷ, ତୁଳସୀ, ଦୟଣା ଓ ସ୍ୱର୍ଣ୍ଣଦୂର୍ବ ଭଳି ଗୁଳ୍ମ-ଲତାରେ ପରିପୂର୍ଣ୍ଣ ଥିଲେ। ନିରନ୍ତର ବର୍ଷା, ହିମଶୃଙ୍ଗ ସ୍ଫଳନ ଫଳଜନିତ ସମୁଦ୍ର ଜଳସ୍ତରର ବୃଦ୍ଧି ଆର୍ଯ୍ୟବର୍ତ୍ତର
ତିନିକୂଳରେ କେତେ ଯେ କୂଳ ଖାଇଛି, ତା ଗର୍ଭରେ ପ୍ରାଚୀ ସରସ୍ୱତୀ ନଦୀ ଭଳି କେତେ
ଭୂମିଖଣ୍ଡର ଇତିହାସ ଯେ ଲୁଚି ଯାଇଛି, ତାର ଟିକିନିଖି ଖବର ମହାବେଦୀଙ୍କ ନିକଟରେ
ରହିଛି।
ମହୋଦଧୀଙ୍କ
ପୃଷ୍ଠଦେଶେ ଉଦିତ ଅଚଳ-ଏକପଦ ରୂପୀ ସୂର୍ଯ୍ୟ ଙ୍କ ନିମନ୍ତେ ଋଗବେଦୀୟ ଋଷି ବସୁକ୍ର ବସୁବର୍ଣ୍ଣୋ ପ୍ରାଚୀନ ସରସ୍ୱତୀ ନଦୀ ତଟରେ ଋଗବେଦର ୧୦.୬୬.୦୯
ସୁକ୍ତ ରଚନା କରିଥିଲେ। ନୀଳ ମାଧବଙ୍କ ସନ୍ଧାନରେ ପୂର୍ବ ତଟକୁ ଆସି
ଧବଳଗିରିରେ ଜରା ଶବରଙ୍କ ବଂଶଜ ବାସୁଦେବ ଦେବକୀପୁତ୍ର କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡର ଉପାସନା
କରୁଥିବା ଦୃଶ୍ୟ ଦେଖି ସେ ମଧ୍ୟଦେଶର ଦକ୍ଷିଣାଞ୍ଚଳ ଭଦ୍ରା ନଦୀ କୂଳ ରାଜଧାନୀ ଭଦ୍ରାବତୀର ସୋମବଂଶୀ
ରାଜା ଇନ୍ଦ୍ରଦ୍ୟୁମ୍ନ (ଖ୍ରୀଷ୍ଟପୂର୍ବ ୧୧୦୦୦) ଙ୍କୁ ଅବଗତ କରାଇ ଥିଲେ। ମଧୁପୁରରେ ରାଜା ମାନ୍ଧାତା ଲବଣାସୁର ସହ ଯୁଦ୍ଧରେ ପରାସ୍ତ ହୋଇଥିଲେ, ଋଷିଙ୍କ ଠାରୁ ମହାପ୍ରଭୁଙ୍କ ସନ୍ଧାନ ପାଇ ଭଦ୍ରାବତୀ ଠାରୁ ପୁରୁଷୋତ୍ତମ
ଯିବା ରାସ୍ତାରେ ହୈହେୟବଂଶଙ୍କ ପତନ ପରେ ମାହଷ୍ମତୀରେ ଶାସନ କରୁଥିବା ନାଗବଂଶୀ ଯୋଦ୍ଧା ମାନଙ୍କ
ସହ ମଧୁପୁର (ପୁରୁଷୋତ୍ତମ ପୁରୀ) ଠାରେ ଆସି ପହଞ୍ଚି ଥିଲେ। କିମ୍ବଦନ୍ତୀର ଇନ୍ଦ୍ରଦ୍ୟୁମ୍ନ ଖ୍ରୀଷ୍ଟପୂର୍ବ ୧୦୯୭୦ ମସିହାର ମଧ୍ୟଦେଶୀୟ ସୋମବଂଶୀ ନୃପତି
ଥିଲେ। ତତ୍କାଳ ସମୟରେ ସୋମବଂଶୀ ମାନେ ମଧ୍ୟଦେଶ ଶାସନ କରୁଥିଲେ। ବସୁକର ଦ୍ୱିଜ ବିଦ୍ୟାପତି ଥିଲେ। ଶ୍ରୀ ବେଦବୀର ଆର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରାଚୀନ ଭାରତୀୟ ସମୟ ରେଖା ଅନୁସାରେ ସେ
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମସାମୟିକ ଥିଲେ।
ଗଜ ସଦୃଶ
ଅଶ୍ୱରେ ସୁଦୀପ୍ତ ଶରୀରଧାରୀ ମଧ୍ୟଦେଶୀୟ ସୋମବଂଶୀୟ ଇନ୍ଦ୍ରଦ୍ୟୁମ୍ନ ଋଗବେଦୀ ଋଷି ବସୁକ୍ର ବସୁବର୍ଣ୍ଣୋ
ଓ ବିଶାଳ ନାଗ ଯୋଦ୍ଧାବାହିନୀ ସହ ଧବଳଗିରି ଠାରେ ପ୍ରକାଣ୍ଡକାୟ ଅଗରୁ ବୃକ୍ଷ କୋଟରରେ ଜରାଶବରଙ୍କ
ପରିବାର ନୀଳମାଧବ-ମୂର୍ତ୍ତି ଙ୍କ ଉପାସନା କରୁଥିବା ଦର୍ଶନ କରିଥିଲେ। ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡ ଘନ କୃଷ୍ଣକାୟ ରଙ୍ଗ ମାଧବ ପ୍ରସ୍ତର
ମୂର୍ତ୍ତିରେ ପରିବର୍ତ୍ତିତ ହୋଇ ସାରିଥିଲା। ସରଳ-ଚିତ୍ତ-ସମ୍ପନ୍ନ ବନବାସୀମାନେ ସେମାନଙ୍କ ଅଜ୍ଞାତସାରରେ ନୀଳମାଧବଙ୍କ ପ୍ରତିମାଙ୍କ ଉପାସନା
ପଦ୍ଧତି ଆରମ୍ଭ କରି ସାରିଥିଲେ। ମାଧବଙ୍କୁ ଐତିହାସିକ ମାନେ ‘ମା’ ଙ୍କ ସ୍ୱାମୀ
ରୂପେ ବ୍ୟାଖ୍ୟା କରିଥାନ୍ତି। ମା= ଶ୍ରୀ, ଲକ୍ଷ୍ମୀ ଓ ଧବ=ସ୍ୱାମୀ। ବାସୁକ୍ର ପୂର୍ବରୁ ମାଧବଙ୍କ ଦର୍ଶନ ଉଦ୍ଦେଶ୍ୟରେ
ଆସି ମହାବେଦୀ ସଦୃଶ୍ୟ ଶାଳଗ୍ରାମଙ୍କ ଚିହ୍ନଟ କରି ସାରିଥିଲେ। ପ୍ରାକ୍ ଅନ୍ତର୍ଦୃଷ୍ଟି ରେ ସେ ସୂର୍ଯ୍ୟରୂପୀ ପରମାତ୍ମାଙ୍କ ଅନ୍ୟ ରୂପ ଶାଳଗ୍ରାମଙ୍କ ଶିଳାସ୍ତରର
ପ୍ରାଚୀନତା ବିଷୟ ଜାଣି ପାରିଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ କ୍ଲାନ୍ତି ମେଣ୍ଟାଇବା ନିମନ୍ତେ ସାଧାରଣ ପ୍ରସ୍ତର ବିଚାରି ତାଙ୍କ ଉପରେ
ଉପବେଶନ ନିମନ୍ତେ ଉଦ୍ୟମ କରିବା ସମୟରେ ସେ ତତକ୍ଷଣାତ୍ ବାରଣ କରିଥିଲେ - ହେ ରାଜା! ଇଏ ଶାଳଗ୍ରାମ। ସାକ୍ଷାତ ନାରାୟଣ, ମାଧବ ପୁରୁଷୋତ୍ତମ ଅଟନ୍ତି।
ଆର୍ଯ୍ୟାବର୍ତ୍ତର ପୂର୍ବାଞ୍ଚଳ ଦେବପ୍ରସ୍ଥରେ ଅବସ୍ଥିତ ମହାବେଦୀ ରୂପୀ ଶାଳଗ୍ରାମ ଯେ ସନାତନ, ଶବରୀ ନାରାୟଣ, ତାର ଧାରଣା ଦେଇଥିଲେ ଋଷି ବସୁକ୍ର। ତା’ର ଉଲ୍ଲେଖ ସାରଳା ଦାସ ତାଙ୍କ ମହାଭାରତ, ମୂଷଳୀ ପର୍ବ, ପୃ – ୫୧, ୧୮-୧୯ ରେ କରିଛନ୍ତି :-
ୟେତେ ବୋଲି ଦେବ ତତକ୍ଷଣେ ହେଲେ ଅନ୍ତର୍ଧାୟ।
ପାଷାଣ ରୂପ ଧଇଲେ ପ୍ରଭୁ ଦେବରାୟ॥
ଅଗ୍ର ବୃକ୍ଷ ଆବୋରି ରହିଲେ ଭଗବାନ।
ଶବରୀ ନାରାୟଣ ରୂପେ ପୂଜା ଯେ ପାଇଣ॥
ବ୍ରହ୍ମଜ୍ଞାନୀ
ଜଡ ଭରତଙ୍କ ବଂଶଜ ଗାଲମାଧବ ଙ୍କ ପୁତ୍ର ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରକ୍ତରେ ସନାତନତ୍ୱର ସଂସ୍କାର
କୁନ୍ଦି କୁନ୍ଦି ଭରି ରହିଥିଲା। ଜମ୍ବୁଦ୍ୱୀପର ପୂର୍ବଭାଗ ଦେବପ୍ରସ୍ଥରେ ପୁରୁଷୋତ୍ତମଙ୍କ
ସନ୍ଧାନ ଇନ୍ଦ୍ରଦ୍ୟୁମ୍ନ ପାଇ ସାରିଥିଲେ। ସେଦିନ ଇନ୍ଦ୍ରଦ୍ୟୁମ୍ନ ବିଶ୍ୱର ସର୍ବଶ୍ରେଷ୍ଠ ଚିରଞ୍ଜିବୀଙ୍କ ଦର୍ଶନ କରିଥିଲେ। ସେଦିନ ଜ୍ୟେଷ୍ଠ ମାସର ପୂର୍ଣ୍ଣମୀ ତିଥିରେ ସମୟର ଅଶ୍ୱକୁ ପ୍ରତିହତ କରି ଅଜ-ଏକପାତ/ ଏକପାଦ
ସମ ପୁରୁଷୋତ୍ତମ ଜଗନ୍ନାଥଙ୍କ ପ୍ରସ୍ତର ପ୍ରତିମାର ସ୍ନାନୋତ୍ସବ ପାଳନ ଅବସରରେ ଆର୍ଯ୍ୟାବର୍ତ୍ତର
ପୂର୍ବାଞ୍ଚଳ ଚଳଚଞ୍ଚଳ ଥିଲା। ସମ୍ପୂର୍ଣ୍ଣ ଆର୍ଯ୍ୟବର୍ତ୍ତରେ ବିଛାଡି ହୋଇ
ପଡିଥିବା ଈକ୍ଷ୍ୱାକୁ ଓ ସୋମ ବଂଶୀୟ ରାଜା ମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ଅଶ୍ୱମେଧ ଯଜ୍ଞର ପୁରୋଧା ନର୍ମଦା ନଦୀ କୂଳର ମଧ୍ୟଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ସମସ୍ତ କାର୍ଯ୍ୟ
ନିଜେ ତଦାରଖ କରୁ ଥିଲେ। ଋଷି ଅଗ୍ନିଙ୍କର ପୁତ୍ର କୁମାର ଆଗ୍ନେୟ
(ଋ ବେ ୭ମ ମଣ୍ଡଳ ୧୦୧ ସୁକ୍ତର ରଚୟିତା) ଯଜ୍ଞର ପୁରୋହିତ ଥିଲେ। ସେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ସମସାମୟିକ ଥିଲେ। ସୂର୍ଯ୍ୟଙ୍କର ଦକ୍ଷିଣାୟନକୁ ମନେ ରଖିବା ପାଇଁ ଜ୍ୟେଷ୍ଠ ପୂର୍ଣ୍ଣ ଚନ୍ଦ୍ରୋଦୟ ତିଥିରେ ବ୍ରହ୍ମବନ
ଧବଳଗିରି ରେ ନୀଳମାଧବ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରା ଯାଉଥିଲା। ବନବାସୀମାନଙ୍କ ଶଙ୍ଖନାଦ, ହୁଳହୁଳି ଓ ଜୟ ଜୟ ପରମାତ୍ମନ ର କୋଳାହଳରେ ସେଦିନ ପୁରୁଷୋତ୍ତମ
ମୁଖରିତ ହୋଇ ଉଠିଥିଲା। ଧବଳଗିରି ଦୁଲୁକି ଉଠିଥିଲା। ଆଜିର ସମୟରେ ମଧ୍ୟ ନୀଳମାଧବ ରୂପୀ ଶ୍ରୀ ଜଗନ୍ନାଥଙ୍କ ଜନ୍ମ ତିଥି ଜ୍ୟେଷ୍ଟ ପୂର୍ଣ୍ଣିମା ଦିନ
ସ୍ନାନ ପୂର୍ଣ୍ଣିମା ରୂପେ ପାଳନ କରାଯାଉଛି। ବ୍ରହ୍ମାଣ୍ଡୀୟ ଭୁଗୋଳର ସଂରଚନା ରେ ଏହି ତିଥି କେବେ ଦିନେ ପୁରା ସଂସାର ପାଇଁ ଏକ ମହତ୍ୱପୂର୍ଣ୍ଣ
ସନ୍ଧି ଥିଲା। ବର୍ଷା ଆଗମନ ଦ୍ୱାରା ବର୍ଷ ଆରମ୍ଭ ସୂଚନାର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ
ହୋମଯଜ୍ଞାଦି କର୍ମ ସହ ଚାଷବାସାଦି କର୍ମର ଆରମ୍ଭ ହୋଇଥାଏ। The Chronology of India ଅନୁସାରେ ବର୍ଷା ଶବ୍ଦରୁ ବର୍ଷ ଶବ୍ଦର ଉତ୍ପତ୍ତି ସେହି ସମୟରେ ହୋଇଥିଲା। ଜ୍ୟୋତିଷ୍କ ଶାସ୍ତ୍ରର ବିଦ୍ୱତାମାନେ କହନ୍ତି ବୈଦିକ ସମୟରେ ଯଦିଓ ମାଘ ଶୁକ୍ଳ ପ୍ରତିପଦା, ଧନିଷ୍ଠା ନକ୍ଷତ୍ର ରହଣୀ ସମୟରୁ ନୂତନ ବର୍ଷୋତ୍ସବର ଆରମ୍ଭ କରା
ଯାଇଥିଲା, ବ୍ରହ୍ମାଙ୍କର ବ୍ରହ୍ମାବର୍ତ୍ତରେ ପୈତାମହ ସିଦ୍ଧାନ୍ତ (୨୮ ନକ୍ଷତ୍ର
ଏବଂ ୭ ରାଶି) ର ଚଳଣି ପୂର୍ବରୁ ନୂତନ ବର୍ଷର ଶୁଭାରମ୍ଭ ଜ୍ୟେଷ୍ଠ ପୂର୍ଣ୍ଣିମାନ୍ତେ ବର୍ଷାର ଆଗମନ
ସମୟରେ ହେଉଥିଲା। ସେଥିପାଇଁ ସେହି ଦିନ ଯଜ୍ଞାଦି କର୍ମ ଦ୍ୱାରା ସମାଜରେ ଉତ୍ସବ ପାଳନ
କରା ଯାଉଥିଲା। ଋଗବେଦ ୭ମ ମଣ୍ଡଳ ୧୦୩ ସୁକ୍ତ ବର୍ଷା ସମୟର ବର୍ଣ୍ଣନା, ଋଷି, ବ୍ରାହ୍ମଣ (ବ୍ରହ୍ମାଙ୍କର ଶିଷ୍ୟ, ପୁତ୍ରାଦି) ମାନଙ୍କୁ ଦିଆ ଯାଇଥିବା ଦିଗଦର୍ଶନ ଆଦି ଏହି ସମୟକୁ
ସୂଚାଇ ଥାଏ।
ଲବଣାସୁର
ସହିତ ହୋଇଥିବା ତତ୍କାଳୀନ ଯୁଦ୍ଧରେ ତାଙ୍କୁ ସାହାଯ୍ୟ କରିଥିବା ଭଗବାନ ପର୍ଶୁରାମଙ୍କ ଠାରୁ ଯୁଦ୍ଧ
ବିଦ୍ୟା ଶିକ୍ଷା ଲାଭ କରି କ୍ଷତ୍ରିୟ ଜାତିରେ ପରିବର୍ତ୍ତିତ ହୋଇଥିବା ଋଷି କଶ୍ୟପଙ୍କ ଜ୍ୟେଷ୍ଠ ପୁତ୍ର
ନାଗଙ୍କ ବଂଶଜଙ୍କ ଯୁଦ୍ଧ କୌଶଳ ଜନିତ ଜ୍ଞାନର ସହାୟତାରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହୋଦଧୀ ତଟରେ ଅସୁର
ବଂଶ ସମୂଳେ ନାଶ କରି ଦେବକୀପୁତ୍ର ବାସୁଦେବ କୃଷ୍ଣଙ୍କ ଦେହାବସାନର ୧୦୦ ବର୍ଷ ପରେ ଖ୍ରୀ.ପୂ ୧୦୯୭୦, ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥି (ବ୍ରହ୍ମାଣ୍ଡ
ପୁରାଣ ରେ ଶ୍ରୀବିଷ୍ଣୁଙ୍କ ଜନ୍ମତିଥି ରୂପେ ବର୍ଣ୍ଣିତ) ରେ ତାଙ୍କର ପ୍ରତିରୂପ ଦେବକୀପୁତ୍ର
ବାସୁଦେବ କୃଷ୍ଣ ଙ୍କ ଅର୍ଦ୍ଧଦଗ୍ଧ ହୃତପିଣ୍ଡ ପ୍ରସ୍ତର ନୀଳମାଧବଙ୍କ ରୂପେ ଧବଳଗିରିରେ ପ୍ରତିଷ୍ଠିତ
କରା ଯାଇଥିଲା। ଯୁଦ୍ଧରେ ତାଙ୍କୁ ସାହାଯ୍ୟ କରିଥିବା ନାଗବଂଶୀମାନେ ମଧୁପୁର (ପୁରୁଷୋତ୍ତମ
ପୁରୀ) ଠାରେ ନୀଳମାଧବଙ୍କୁ ପ୍ରତିଷ୍ଠା କରି ସେଠାକାର ବନବାସୀ ମାନଙ୍କ ସହ ବସତି ସ୍ଥାପନ ଆରମ୍ଭ
କରିଥିଲେ। ସେମାନେ ମହୋଦଧୀ ତଟର ସଂରକ୍ଷକ ଥିଲେ।
ଏହା ପ୍ରଚଳିତ
କିମ୍ବଦନ୍ତୀର ପ୍ରଥମ ଅଂଶ, ନୀଳମାଧବ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଧ୍ୟରେ ଥିବା ଐତିହାସିକ ଅସଂଯୋଗିତ
ତତ୍ତ୍ୱର ବ୍ୟାଖ୍ୟାନ ଅଟେ।
Comments
Post a Comment